ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି, ବୁଧବାର ସଂସଦରେ ହୋଇପାରେ ଆଗତ | News Room Odisha

ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି, ବୁଧବାର ସଂସଦରେ ହୋଇପାରେ ଆଗତ

ନୂଆଦିଲ୍ଲୀ :ସଂସଦର ସ୍ୱତନ୍ତ୍ର ଅଧିବେଶନ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ‌ ବଡ଼ ନିଷ୍ପତ୍ତି ନିଆଯାଇଛି । ଲୋକସଭା ଓ ସବୁ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଲ୍ ଆଣିବାକୁ ହୋଇଛି ନିଷ୍ପତ୍ତି । ଏଥିପାଇଁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଥିବା ଜଣାପଡ଼ିଛି । ସଂସଦର ଚଳିତ ସ୍ବତନ୍ତ୍ର ଅଧିବେଶନରେ ବୁଧବାର ଏହି ବିଲ୍ ଆଗତ ହେଇପାରେ। ତେବେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

ଗତ ଲୋକସଭାରେ ୭୮ ମହିଳା ସଦସ୍ୟ ନିର୍ବାଚିତ ହୋଇଥିଲେ, ଯାହା ମୋଟ ୫୪୩ ସଦସ୍ୟଙ୍କ ୧୫ ପ୍ରତିଶତରୁ ବି କମ୍। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡିଶା, ସିକ୍କିମ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା ଏବଂ ପୁଡୁଚେରୀ ସହ ଅନେକ ରାଜ୍ୟ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ କମ୍ ରହିଛି।

ଗତ କିଛି ସପ୍ତାହ ଧରି କଂଗ୍ରେସ, ବିଜୁ ଜନତା ଦଳ ଏବଂ ଭାରତ ରାଷ୍ଟ୍ର ସମିତି (ବିଆରଏସ) ସହ ଅନେକ ଦଳ ମହିଳା ସଂରକ୍ଷଣ ବିଲ୍ ଆଗତ କରିବାକୁ ଦାବି କରିଆସୁଥିଲେ । ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମଧ୍ୟ ବହୁ ଦଳ ଏହି ବିଲ୍ ଆଣିବାକୁ ଗୁରୁତ୍ୱାରୋପ କରିଥିଲେ ।