ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି, କୋଭିଡ୍ ଦୃଷ୍ଟିରୁ ଭାରତ ଯୋଡ ଯାତ୍ରା ବନ୍ଦ କରିବାକୁ ପରାମର୍ଶ, କଂଗ୍ରେସ କହିଲା ଷଡ଼ଯନ୍ତ୍ର | News Room Odisha

ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି, କୋଭିଡ୍ ଦୃଷ୍ଟିରୁ ଭାରତ ଯୋଡ ଯାତ୍ରା ବନ୍ଦ କରିବାକୁ ପରାମର୍ଶ, କଂଗ୍ରେସ କହିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଚିଠି ଲେଖି ଭାରତ ଯୋଡ ଯାତ୍ରା ସମୟରେ କୋଭିଡ୍ ଗାଇଡ ଲାଇନ୍ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି ‌। ମାସ୍କ-ସାନିଟାଇଜର ବ୍ୟବହାର କରିବା ସହ କେବଳ ଟିକାକରଣ କରିଥିବା ଲୋକଙ୍କୁ ଭାରତ ଯୋଡ ଯାତ୍ରାରେ ସାମିଲ କରିବାକୁ କହିଛନ୍ତି । ଯଦି ଏହା ସମ୍ଭବ ନ ହୋଇପାରୁଛି ତାହାଲେ ଏହି ଯାତ୍ରାକୁ ବନ୍ଦ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ରାହୁଲ ଓ ଗେହଲୋଟଙ୍କୁ କହିଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଏହି ଚିଠିର ଜବାବ ରଖିଛି କଂଗ୍ରେସ । ଏହି ପ୍ରସଙ୍ଗରେ କଂଗ୍ରେସ ମୁଖପାତ୍ର ପୱନ ଖେରା କହିଛନ୍ତି ଯେ ଏହି ଚିଠି ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ, କିନ୍ତୁ ଭାରତ ଯୋଡ ଯାତ୍ରାରେ ଯେପରି କୋଭିଡ ନିୟମ ପାଳନ କରାଯିବ ସେନେଇ ଆମେ ସମ୍ପୂର୍ଣ୍ଣ ଯତ୍ନବାନ ଅଛୁ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାର ଲୋକପ୍ରିୟତା ଓ ଏଥିରେ ଲୋକମାନେ ସାମିଲ ହେଉଥିବାରୁ ବିଜେପିର ହଜମ ହେଉନି । ତେଣୁ ଯାତ୍ରା ବନ୍ଦ କରିବା ପାଇଁ ବିଜେପି ଏପରି ଏକ ଷଡ଼ଯନ୍ତ୍ର ରଚିଛି ।

କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ ଗଣମାଧ୍ୟମକୁ କହିଛନ୍ତି – ରାହୁଲ ଗାନ୍ଧୀଙ୍କ ଯାତ୍ରାର ଲୋକପ୍ରିୟତା ଦେଖି ବିଜେପି ଷଡଯନ୍ତ୍ର କରୁଛି। ଗୁଜରାଟ ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ପ୍ରଚାର କରୁଥିବାବେଳେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କୋଭିଡ୍ ନିୟମ କଥା କାହିଁକି ମନେ ପଡ଼ିନଥିଲା ? କଂଗ୍ରେସ ନେତା ସଞ୍ଜୟ ନିରୁପମ କହିଛନ୍ତି ଯେ ଭାରତ ଯୋଡ ଯାତ୍ରା ବନ୍ଦ କରିବାକୁ ଷଡଯନ୍ତ୍ର କରାଯାଉଛି। କିନ୍ତୁ ଏହି ଯାତ୍ରା ଜାରି ରହିବ |