'ଇଣ୍ଡିଆ ବନାମ ଭାରତ' ବିବାଦରେ ପୂର୍ଣ୍ଣଛେଦ ! ଦେଶର ନାମ ବଦଳିବା ଚର୍ଚ୍ଚାକୁ ଗୁଜବ କହିଲେ କେନ୍ଦ୍ରମନ୍ତ୍ରୀ | News Room Odisha

‘ଇଣ୍ଡିଆ ବନାମ ଭାରତ’ ବିବାଦରେ ପୂର୍ଣ୍ଣଛେଦ ! ଦେଶର ନାମ ବଦଳିବା ଚର୍ଚ୍ଚାକୁ ଗୁଜବ କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ନାମ ‘ଇଣ୍ଡିଆ’ ନା ‘ଭାରତ’ ହେବା ଉଚିତ ସେନେଇ ଗତ କିଛି ଦିନ ଧରି ପ୍ରବଳ ଯୁକ୍ତିତର୍କ ଚାଲିଛି। ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ସରଗରମ ହୋଇଛି । ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଯିବାରୁ ମୋଦୀ ସରକାର ଦେଶର ନାମ ବଦଳାଇବାକୁ ହୀନ ପ୍ରୟାସ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ତେବେ ଇଣ୍ଡିଆ ବନାମ ଭାରତ ବିବାଦରେ ପୂର୍ଣ୍ଣଛେଦ ଟାଣିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଦେଶର ନାମ ପରିବର୍ତ୍ତନ ଚର୍ଚ୍ଚା କେବଳ ଗୁଜବ ବୋଲି ସେ କହିଛନ୍ତି ।

‘ଇଣ୍ଡିଆ’ ଶବ୍ଦକୁ ହଟାଇ ଦେଶର ନାମ କେବଳ ‘ଭାରତ’ ରଖାଯିବ ବୋଲି ଚର୍ଚ୍ଚା ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟୀକରଣ ଦେଇଛନ୍ତି । ‘ନାମ ବଦଳାଇବା କଥା କେବଳ ଗୁଜବ ବୋଲି ସେ କହିଛନ୍ତି । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହିପରି କୌଣସି ପ୍ରସ୍ତାବ ନାହିଁ ବୋଲି ସେ କହିଛନ୍ତି । ଠାକୁର କହିଛନ୍ତି, ମୁଁ ଭାରତ ସରକାରର ଜଣେ ମନ୍ତ୍ରୀ । ଜି -୨୦ ନିମନ୍ତ୍ରଣରେ ଉଭୟ ‘ଇଣ୍ଡିଆ’ ଓ ‘ଭାରତ’ ଲେଖାଯାଇଛି ତେବେ ଅଯଥା କାହିଁକି ଗୁଜବ ପ୍ରଚାର ହେଉଛି? କିଏ ଏପରି ଗୁଜବ ପ୍ରଚାର କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିରୋଧୀଙ୍କୁ ଟାର୍ଗେଟ କରି ଠାକୁର କହିଛନ୍ତି, ”ଭାରତ’ ଶବ୍ଦ ସହିତ କାହାର କ’ଣ ସମସ୍ୟା ଥାଇପାରେ? ଏହା ସେମାନଙ୍କ ମାନସିକତାକୁ ଦର୍ଶାଉଛି । ଭାରତ ପ୍ରତି ସେମାନଙ୍କର ଶତ୍ରୁତା ରହିଛି । ବୋଧହୁଏ ସେଥିପାଇଁ ଯେତେବେଳେ ସେମାନେ ବିଦେଶ ଯାଇ ସେଠାରେ ଭାରତକୁ ସମାଲୋଚନା କରନ୍ତି |

ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଜି -୨୦ ନେତାଙ୍କ ପାଇଁ ନୈଶଭୋଜି ଲାଗି ରାଷ୍ଟ୍ରପତି ଭବନ ତରଫରୁ ପଠାଯାଇଥିବା ନିମନ୍ତ୍ରଣରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଥିଲା । ଏହାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ। ଏସବୁ ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ସମ୍ବନ୍ଧୀୟ ସରକାରୀ ନୋଟରେ ‘ପ୍ରାଇମ୍ ମିନିଷ୍ଟର ଅଫ୍ ଭାରତ’ ଲେଖିଥିଲା ।

ଜି -୨୦ ଶିଖର ସମ୍ମିଳନୀ ଶେଷ ହେବା ପରେ ସରକାର ସେପ୍ଟେମ୍ବର ୧୮ ରୁ ୨୩ ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଏହି ଅଧିବେଶନର ଏଜେଣ୍ଡା କ’ଣ ତାହା ସରକାର ଏପର୍ଯ୍ୟନ୍ତ ଘୋଷଣା କରିନାହାଁନ୍ତି । ଯାହା ବିରୋଧୀଙ୍କୁ ଆଶଙ୍କାରେ ରଖିଛି |