ପାକ୍ ଅଧିକୃତ କାଶ୍ମୀର ଆପେ ଭାରତରେ ମିଶିବ - କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ | News Room Odisha

ପାକ୍ ଅଧିକୃତ କାଶ୍ମୀର ଆପେ ଭାରତରେ ମିଶିବ – କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜେନେରାଲ (ଅବସରପ୍ରାପ୍ତ) ଭିକେ ସିଂହ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ନେଇ ବଡ଼ କଥା କହିଛନ୍ତି । ସେ କହିଛନ୍ତି ଯେ, ଟିକିଏ ଅପେକ୍ଷା କରନ୍ତୁ ପିଓକେ କିଛି ଦିନ ପରେ ଆପେ ଭାରତରେ ମିଶିଯିବ। ଭାରତକୁ ରାସ୍ତା ଖୋଲିବାକୁ ପିଓକେର ଶିଆ ମୁସଲମାନ ମାନଙ୍କ ଦାବି ସମ୍ପର୍କରେ ପଚରାଯିବାରୁ ଜେନେରାଲ ସିଂହ ଏଭଳି କହିଛନ୍ତି ।

ରାଜସ୍ଥାନର ଦୌସା ଠାରେ ବିଜେପିର ପରିବର୍ତ୍ତନ ସଂକଳ୍ପ ଯାତ୍ରା ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଭିକେ ସିଂହ ହିନ୍ଦୁତ୍ୱ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ନିକଟରେ ଦେଇଥିବା ବୟାନ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ଯିଏ ଭାରତରେ ପ୍ୟାଣ୍ଟ ଟି-ସାର୍ଟ ଓ ବିଦେଶ ଗଲାବେଳେ କୁର୍ତ୍ତା-ପାଇଜାମା ପିନ୍ଧନ୍ତି ତାଙ୍କ ବିଷୟରେ ଆଉ କ’ଣ କୁହାଯାଇପାରେ | ସେ କହିଛନ୍ତି, ରାହୁଲ ଗାନ୍ଧୀ ପଇତା ପିନ୍ଧି ମନ୍ଦିରକୁ ଯାଇ ଘଣ୍ଟି ବଜାଇଲେ। କୈଳାଶ ମନସରୋବର ତୀର୍ଥଯାତ୍ରା ପୂର୍ବରୁ ସେ ଆମିଷ ଭୋଜନ ଖାଇଲେ। ଯେଉଁମାନେ ଧର୍ମ କ’ଣ ଜାଣନ୍ତି ନାହିଁ ସେମାନଙ୍କ ଉପରେ କିଛି କୁହାଯାଇ ପାରିବ ନାହିଁ ।

ଆଗାମୀ ରାଜସ୍ଥାନ ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ନେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଯେଉଁଠି ନିର୍ବାଚନ ଅନୁଷ୍ଠିତ ହୁଏ, ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରେ ନାହିଁ । ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଆଧାରରେ ନିର୍ବାଚନକୁ ଲଢ଼ିଥାଏ | ସେ କହିଛନ୍ତି, ଦଳ ଏପରି ପ୍ରାର୍ଥୀଙ୍କୁ ସୁଯୋଗ ଦେବ ଯିଏକି ପ୍ରତିଭାବାନ, ଉପଯୋଗୀ ତଥା ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବ ।