ଲକ୍ଷ୍ମୀପୁର ହିଂସା ମାମଲା: ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ଵାବଧାନରେ ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସରକାର ରାଜି | News Room Odisha

ଲକ୍ଷ୍ମୀପୁର ହିଂସା ମାମଲା: ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ଵାବଧାନରେ ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସରକାର ରାଜି

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଶୁଣାଣି କରିଛନ୍ତି। ଲକ୍ଷ୍ମୀପୁର ଖେରୀ ହିଂସା‌ ମାମଲାର ତଦନ୍ତର ତଦାରଖ ପାଇଁ ରାଜ୍ୟ ବାହାରର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କୁ ନିଯୁକ୍ତ କରିବା ପ୍ରସ୍ତାବରେ ଉତ୍ତର ପ୍ରଦେଶ ସରକାର ରାଜି ହୋଇଛନ୍ତି । ସୁପ୍ରିମକୋର୍ଟ ବୁଧବାର  ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନାମ ଘୋଷଣା କରିବେ ।

ଏହାଛଡ଼ା ଲକ୍ଷ୍ମୀପୁର ଖେରୀ ହିଂସାର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ପ୍ୟାନେଲକୁ ଅପଗ୍ରେଡ୍ କରିବାକୁ ମଧ୍ୟ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି। ଏହି ପ୍ୟାନେଲର ଅଧିକାଂଶ ଅଧିକାରୀ ଲକ୍ଷ୍ମୀପୁର ଖେରୀର ହୋଇଥିବାରୁ ତଦନ୍ତରେ ସ୍ବଚ୍ଛତା ଓ ନିରପେକ୍ଷତା ନିଶ୍ଚିତ କରିବାକୁ କୋର୍ଟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସାମିଲ କରିବାକୁ କହିଛନ୍ତି  | କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ ଠାରୁ ଏପରି ଆଇପିଏସ୍ ଅଧିକାରୀଙ୍କ ତାଲିକା ମାଗିଛନ୍ତି, ଯେଉଁମାନଙ୍କୁ ତଦନ୍ତ ପାଇଁ ଗଠିତ ଏସଆଇଟିରେ ସାମିଲ କରାଯାଇପାରିବ । କୋର୍ଟ କହିଛନ୍ତି ଯେ ଏହି ଅଧିକାରୀମାନେ ୟୁପି କ୍ୟାଡରର ହୋଇଥିଲେ ଚଳିବ, କିନ୍ତୁ ସେମାନେ ରାଜ୍ୟ ବାସିନ୍ଦା ହେଇନଥିବେ।  ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର ହେବ ।

ଅକ୍ଟୋବରରେ ଲକ୍ଷ୍ମୀପୁର ଖେରୀରେ କୃଷକଙ୍କ ବିକ୍ଷୋଭ ବେଳେ ହିଂସା ଘଟିଥିଲା। ଏଥିରେ ୪ ଚାଷୀଙ୍କ ସହ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଚାଷୀମାନଙ୍କୁ ଗାଡ଼ିରେ ଦଳି ଦେଇଥିବା ଅଭିଯୋଗ ହୋଇଥିଲା ।