ରୁଷରୁ ତୈଳ ଆମଦାନୀ ଉପରେ ରୋକ୍ ଲଗାଇଲା ଆମେରିକା, ଅନ୍ତର୍ଜାତୀୟ ତୈଳ ବଜାର ଉପରେ ପଡ଼ିବ ବଡ଼ ପ୍ରଭାବ | News Room Odisha

ରୁଷରୁ ତୈଳ ଆମଦାନୀ ଉପରେ ରୋକ୍ ଲଗାଇଲା ଆମେରିକା, ଅନ୍ତର୍ଜାତୀୟ ତୈଳ ବଜାର ଉପରେ ପଡ଼ିବ ବଡ଼ ପ୍ରଭାବ

ଓ୍ୱାଶିଂଟନ: ୟୁକ୍ରେନ ଉପରେ ଆକ୍ରମଣର ଜବାବରେ ରୁଷର ଅର୍ଥନୀତିକୁ ଆହୁରି ଦୁର୍ବଳ କରିବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କଡ଼ା ପଦକ୍ଷେପ ଘୋଷଣା କରିଛନ୍ତି। ରୁଷର ଗ୍ୟାସ, ତୈଳ ଏବଂ ଶକ୍ତି ଆମଦାନୀ ଉପରେ ସେ କଟକଣା ଲଗାଇଛନ୍ତି । ଏହି ପଦକ୍ଷେପ ରୁଷର ଅର୍ଥନୀତିକୁ ଗଭୀର ଭାବେ କ୍ଷତି ପହଞ୍ଚାଇବ ବୋଲି ସେ ଦାବି କରିଛନ୍ତି। ତେବେ ସେ ସ୍ଵୀକାର କରିଛନ୍ତି ଯେ ଏହା ଆମେରିକୀୟମାନଙ୍କ ପାଇଁ ବିଶେଷ ଭାବରେ ଗ୍ୟାସ ପମ୍ପରେ ଖର୍ଚ୍ଚ ବଢାଇବ।

ଆମେରିକା ଦ୍ଵାରା ରୁଷର ତୈଳ ଆମଦାନୀ ଉପରେ ନିଷେଧାଦେଶ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟ ଆକାଶଛୁଆଁ ହୋଇପାରେ । କାରଣ ଯଦି ବିଶ୍ୱ ଦୈନିକ ୧୦ ବ୍ୟାରେଲ ତେଲ ବ୍ୟବହାର କରେ , ତେବେ ସେଥିମଧ୍ୟରୁ ଗୋଟିଏ ବ୍ୟାରେଲ ରୁଷରୁ ଆସିଥାଏ। ରୁଷର ଉପପ୍ରଧାନମନ୍ତ୍ରୀ ଧମକ ଦେଇ କହିଛନ୍ତି ଯେ ଅଶୋଧିତ ତୈଳ ବ୍ୟାରେଲ ୩୦୦ ଡଲାର ଅତିକ୍ରମ କରିପାରେ।

ଆମେରିକାର ଏହି ନିଷ୍ପତ୍ତି ସହିତ ଭାରତର ଚ୍ୟାଲେଞ୍ଜ ମଧ୍ୟ ବୃଦ୍ଧି ପାଇବ। ଅଶୋଧିତ ତୈଳ ଆମଦାନୀ ପାଇଁ ଭାରତକୁ ଅଧିକ ମୂଲ୍ୟ ଦେବାକୁ ପଡିବ। ଏହାର ସିଧାସଳଖ ପ୍ରଭାବ ହେବ ଯେ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ, ସୁଧ ହାର ବୃଦ୍ଧି ପାଇବ ଏବଂ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବ | ସରକାରଙ୍କ ଆର୍ଥିକ ନିଅଣ୍ଟ ମଧ୍ୟ ବଢ଼ିବ ଏବଂ ଜନ କଲ୍ୟାଣ ଯୋଜନାରୁ ପୁଞ୍ଜି ବ୍ୟୟ ହ୍ରାସ ପାଇବ।