ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଆତଙ୍କବାଦ ସହ ପାକିସ୍ତାନର ଲିଙ୍କ୍ ଅଛି ବୋଲି କହିଲେ ହାରିସ୍ | News Room Odisha

ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଆତଙ୍କବାଦ ସହ ପାକିସ୍ତାନର ଲିଙ୍କ୍ ଅଛି ବୋଲି କହିଲେ ହାରିସ୍

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ଦ୍ୱିପାକ୍ଷିକ ବୈଠକର କ୍ରମରେ ପ୍ରଧାନମନ୍ତ୍ରୀ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଛନ୍ତି । ଏହି ଅବସରରେ କୋଭିଡ -୧୯ ମହାମାରୀରେ ଆମେରିକାର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦୁଇ ନେତା ପ୍ରଥମେ ହ୍ବାଇଟ୍ ହାଉସରେ ବ୍ୟକ୍ତିଗତ ଆଲୋଚନା କରିଥିଲେ ଏବଂ ପରେ ଏକ ପ୍ରତିନିଧୀ ସ୍ତରୀୟ ବୈଠକରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କମଲା ହାରିସଙ୍କୁ ମଧ୍ୟ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି। ଏଥି ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ସମୟରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ମଧ୍ୟ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେଠା(ପାକିସ୍ତାନୀ ମାଟିରେ)ରେ ଅନେକ ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି । ଏହି ଆତଙ୍କବାଦୀ ସଂଗଠନଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପାକିସ୍ତାନକୁ କହିଛନ୍ତି।

ବୈଠକ ପୂର୍ବରୁ ଉଭୟ ନେତା ମିଳିତ ଭାବେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। କୋଭିଡ ମହାମାରୀ ସମୟରେ କମଲା ହାରିସଙ୍କ ସହାୟତାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଉପରାଷ୍ଟ୍ରପତି ହେବା ପରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି। ଥରେ ଭାରତ କୋଭିଡ ମହାମାରୀ ସହ ଲଢୁଥିବା ବେଳେ ଏକ ବାର୍ତ୍ତାଳାପ ହୋଇଥିଲା। ସେ ସେତେବେଳେ କମଲା ହାରିସଙ୍କ ଏକତାର କଥା ମନେ ରଖିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ସହ ଆମେରିକା ଏବଂ କମ୍ପାନୀ ଏବଂ ବିଦେଶରେ ଥିବା ଭାରତୀୟ ସମ୍ପ୍ରଦାୟ ଅତ୍ୟନ୍ତ କଷ୍ଟସାଧ୍ୟ ଲଢେ଼ଇରେ ସହାୟକ ହୋଇଛନ୍ତି। ତା’ପୂର୍ବରୁ ମୋଦି ଜାପାନ ପ୍ରଧାନମନ୍ତ୍ରୀ ୟସିହିତୋ ସୁଗା ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନଙ୍କୁ ବି ସାକ୍ଷାତ କରିଥିଲେ ।