ଉତ୍କଳ ଦିବସରେ ୩୦ ଫୁଟ ଓଡ଼ିଶା ସ୍କ୍ରାପ୍ ମ୍ୟାପ୍ ଲୋକାର୍ପିତ | News Room Odisha

ଉତ୍କଳ ଦିବସରେ ୩୦ ଫୁଟ ଓଡ଼ିଶା ସ୍କ୍ରାପ୍ ମ୍ୟାପ୍ ଲୋକାର୍ପିତ

ବ୍ରହ୍ମପୁର: ପ୍ରଥମେ ୩୦ ଫୁଟ ତ୍ରିରଙ୍ଗା ଚିହ୍ନିତ ଭାରତ ମାନଚିତ୍ର, ଆଉ ଉତ୍କଳ ଦିବସରେ ୩୦ ଫୁଟ ଉଚ୍ଚ ଓଡ଼ିଶା ମାନଚିତ୍ରକୁ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରଶିକ୍ଷାର୍ଥୀଗଣ । ଅଟୋ ମୋବାଇଲ୍ ବର୍ଜ୍ୟବସ୍ତୁ (ସ୍କ୍ରାପ୍) ସାଙ୍ଗକୁ ଭଙ୍ଗା କୋଠାର ଅବ୍ୟବହୃତ ଲୁହା ଛଡ଼କୁ ବ୍ୟବହାର କରି ନିଜ ଶିଳ୍ପ ପ୍ରଶିକ୍ଷଣଜନିତ ପ୍ରତିଭାର ବିନିଯୋଗ ଜରିଆରେ ଏହି କଳାକୃତି ନିର୍ମାଣ କରିଛନ୍ତି ଆଇଟିଆଇ ଛାତ୍ରଛାତ୍ରୀ । ଆଉ ଏସିଆ ମହାଦେଶର ସର୍ବବୃହତ୍ ଓପନ୍ ଏୟାର ସ୍କ୍ରାପ୍ ସ୍କଲପଚର୍ ମ୍ୟୁଜିୟମ୍ ପାର୍କରେ ସ୍ଥାନୀତ ହୋଇଛି ସର୍ବବୃହତ୍ ସ୍କ୍ରାପ୍ ଓଡ଼ିଶା ମ୍ୟାପ୍ ।

ଓଡ଼ିଶାକୁ କୌଶଳ ଦୃଷ୍ଟିରୁ ଦକ୍ଷ କରିବା ଅଭିଯାନକ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ରାଜ୍ୟର ଆଇଟିଆଇ ଗୁଡ଼ିକୁ ଉତ୍କର୍ଷ ପ୍ରଶିକ୍ଷଣ କେନ୍ଦ୍ର ଭାବେ ଗଢ଼ି ତୋଳାଯାଉଛି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ନେତୃତ୍ୱରେ ରାଜ୍ୟର ଯୁବ ଗୋଷ୍ଠୀ କୁଶଳୀ ମାନବ ସମ୍ବଳ ରୂପେ ଆଇଟିଆଇମାନଙ୍କରେ ପ୍ରସ୍ତୁତ ହେଉଛନ୍ତି ଯେଉଁମାନଙ୍କୁ ନିଯୁକ୍ତି ଦେବାକୁ କ୍ୟାମ୍ପସ୍ ସାକ୍ଷାତକାର ସହ ଛୁଟି ଆସୁଛନ୍ତି ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବଡ଼ ବଡ଼ କମ୍ପାନୀ ।

ଓଡ଼ିଶା କିଭଳି ଦକ୍ଷତା ବୃଦ୍ଧି ଦିଗରେ ଆଗେଇ ଚାଲିଛି ତାହାର ଆଉ ଏକ ନଜୀର ହୋଇଛି ବ୍ରହ୍ମପୁର ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କ ଦ୍ଵାରା ବର୍ଜ୍ୟବସ୍ତୁରୁ ନିର୍ମିତ ନିଆରା ଓଡ଼ିଶା ମ୍ୟାପ୍। ସ୍କିଲଡ୍ ଫ୍ରମ୍ ଆଣ୍ଡ୍ ଇନ୍ ଓଡ଼ିଶା ଥିମକୁ ଗୁରୁତ୍ଵ ଦେଇ କାର୍ଯ୍ୟରେ କରି ଦେଖାଇଛନ୍ତି ବ୍ରହ୍ମପୁର ଆଇଟିଆଇ କର୍ତ୍ତୃପକ୍ଷ। ଲୋକାର୍ପଣ ଅବସରରେ ବ୍ରହ୍ମପୁର ସଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଅଧ୍ୟକ୍ଷ ଡ . ରଜତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ମଡେଲକୁ ଏବେ ଅନ୍ୟ ରାଜ୍ୟ ଆଇଟିଆଇ ଗ୍ରହଣ କରୁଥିବା କହିଛନ୍ତି ଡ . ପାଣିଗ୍ରାହୀ।

ଉଲ୍ଲେଖଯୋଗ୍ୟ ଯେ- ଏହି ଆଇଟିଆଇ କ୍ୟାମ୍ପସରେ ଏଭଳି ପ୍ରାୟ ୨୫ରୁ ଅଧିକ ବିଭିନ୍ନ କିସମର କଳାକୃତି ରହିଛି ଯାହା ଏସିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ସ୍ଥାନ ପାଇପାରିଛି ।