ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ପତଞ୍ଜଳିର ୧୪ଟି ଦ୍ରବ୍ୟର ଲାଇସେନ୍ସ ରଦ୍ଦ କଲେ ଉତ୍ତରାଖଣ୍ଡ ସରକାର | News Room Odisha

ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ପତଞ୍ଜଳିର ୧୪ଟି ଦ୍ରବ୍ୟର ଲାଇସେନ୍ସ ରଦ୍ଦ କଲେ ଉତ୍ତରାଖଣ୍ଡ ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିର ୧୪ଟି ଦ୍ରବ୍ୟର ଲାଇସେନ୍ସ ରଦ୍ଦ କରିଛନ୍ତିି ଉତ୍ତରାଖଣ୍ଡ ସରକାର। ପତଞ୍ଜଳି ତରଫରୁ ଏହି ଉତ୍ପାଦ ଗୁଡ଼ିକ ସମ୍ପର୍କରେ ବାରମ୍ବାର ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରାଯାଉ ଥିବାରୁ ଏଭଳି ଆକ୍ସନ ନିଆଯାଇଛି ବୋଲି ଉତ୍ତରାଖଣ୍ଡ ସରକାର କହିଛନ୍ତି। ଏନେଇ ରାଜ୍ୟ ସରକାର ଏକ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି।

ପତଞ୍ଜଳି ଆୟୁର୍ବେଦର ଦିବ୍ୟ ଫାର୍ମାସିର ଯେଉଁ ଦ୍ରବ୍ୟ ଗୁଡ଼ିକର ଲାଇସେନ୍ସ ରଦ୍ଦ ହୋଇଛି, ସେଥିମଧ୍ୟରେ ଶ୍ୱାସରୀ ଗୋଲ୍ଡ, ଶ୍ୱାସାରୀ ବଟି, ଦିବ୍ୟ ବ୍ରୋଙ୍କମ୍, ଶ୍ୱାସାରୀ ପ୍ରବାହି, ଶ୍ୱାସରୀ ଅବଲେହ, ମୁକ୍ତା ବଟି ଏକ୍ସଟ୍ରା ପାଓ୍ବାର, ଲିପିଡମ୍, ବିପିଗ୍ରିଟ୍, ମଧୁନାଶିନୀ ବଟି ଏକ୍ସଟ୍ରା ପାଓ୍ବାର, ଲିଭାମୃତ ଆଡଭାନ୍ସ, ଲିଭୋଗ୍ରିଟ୍, ଆଇଗ୍ରିଟ୍ ଗୋଲ୍ଡ ଏବଂ ପତଞ୍ଜଳି ଦୃଷ୍ଟି ଆଇ ଡ୍ରପ୍ ରହିଛି |

ସୂଚନାଯୋଗ୍ୟ, ପତଞ୍ଜଳି ଆୟୁର୍ବେଦର କିଛି ଔଷଧ ସମ୍ପର୍କରେ ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟ ରାମଦେବ ଓ ତାଙ୍କ ସହଯୋଗୀ ବାଳକୃଷ୍ଣଙ୍କୁ କଡ଼ା ଭର୍ତ୍ସନା କରିଥିଲେ । ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କ ଉପରେ ମଧ୍ୟ ବର୍ଷିଥିଲେ । ଏହି ମାମଲାର ଶୁଣାଣି ସମ୍ପ୍ରତି ସୁପ୍ରିମକୋର୍ଟରେ ଚାଲିଛି ।

ଅନ୍ୟପକ୍ଷରେ ଜିଏସଟି ଇଣ୍ଟେଲିଜେନ୍ସ ବିଭାଗ ମଧ୍ୟ ‘ପତଞ୍ଜଳି ଫୁଡ୍ସ’କୁ ୨୭ କୋଟିର ଟ୍ୟାକ୍ସ ଫାଙ୍କି ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।