ୟୁକ୍ରେନ ଫେରନ୍ତା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଉଜବେକିସ୍ତାନ ବିଶ୍ବବିଦ୍ୟାଳୟରେ ମିଳିବ ଆଡମିଶନ | News Room Odisha

ୟୁକ୍ରେନ ଫେରନ୍ତା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଉଜବେକିସ୍ତାନ ବିଶ୍ବବିଦ୍ୟାଳୟରେ ମିଳିବ ଆଡମିଶନ

ହାଇଦ୍ରାବାଦ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବନ୍ଦ ହେବା ଭଳି ଲାଗୁ ନାହିଁ । ଏଭଳି ସ୍ଥିତିରେ ବହୁ ମେଡିକାଲ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ନେଇ ଚିନ୍ତାରେ ପଡ଼ିଥିଲେ । ହେଲେ ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଭାରତ ଫେରିଥିବା ପ୍ରାୟ ୨୦୦୦ ଡାକ୍ତରୀ ଛାତ୍ରଛାତ୍ରୀ ବର୍ତ୍ତମାନ ଆଶାର କିରଣ ପାଇଛନ୍ତି। ଏହି ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ଉଜବେକିସ୍ତାନ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନିଜ ପଢ଼ା ଶେଷ କରିପାରିବେ | ଏନେଇ ଉଜବେକିସ୍ତାନ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଛି ।

ଭାରତରେ ଉଜବେକିସ୍ତାନର ରାଷ୍ଟ୍ରଦୂତ ଦିଲଶୋଦ ଅଖତୋଭ ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି। ଏହି ଅବସରରେ ସେ କିଛି ଛାତ୍ରଙ୍କୁ ‘ପ୍ରୋଭିଜନାଲ ଆଡମିଟ୍ କାର୍ଡ’ ମଧ୍ୟ ପ୍ରଦାନ କରିଥିଲେ। ଅଖତୋଭ କହିଛନ୍ତି ଯେ ୟୁକ୍ରେନରେ ପଢ଼ୁଥବା କିଛି ଭାରତୀୟ ଛାତ୍ରଙ୍କୁ ଉଜବେକିସ୍ତାନର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସ୍ଥାନାନ୍ତର କରିବା ସମ୍ଭାବନା ଯାଞ୍ଚ କରିବା ପାଇଁ ଆମେ ଭାରତୀୟ ଭାଗିଦାରଙ୍କ ଠାରୁ କିଛି ଅନୁରୋଧ ଏବଂ ପ୍ରସ୍ତାବ ଗ୍ରହଣ କରିଛୁ। ସେ ଆହୁରି କହିଛନ୍ତି ଯେ ଉଜବେକିସ୍ତାନ ଏକ ପ୍ରମୁଖ ଆନ୍ତର୍ଜାତୀୟ ଶିକ୍ଷା ହବ୍ ଭାବରେ ଉଭା ହେବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲଢ଼େଇ ପୁଣି ଜୋରଦାର ହୋଇଛି । ଏପରିକି ୟୁକ୍ରେନ ଉପରେ ଆଣବିକ ଆକ୍ରମଣ ଆରମ୍ଭ କରିବା ପାଇଁ ରୁଷ୍ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି ।