ଲୋକଙ୍କୁ ମାଗଣା ସୁବିଧା ବନ୍ଦ କରିବାକୁ ବିଜେପି ନେତାଙ୍କ ଦାବି, ବରୁଣ କହିଲେ ପ୍ରଥମେ ସାଂସଦଙ୍କ ଆଡୁ ଆରମ୍ଭ ହେଉ  | News Room Odisha

ଲୋକଙ୍କୁ ମାଗଣା ସୁବିଧା ବନ୍ଦ କରିବାକୁ ବିଜେପି ନେତାଙ୍କ ଦାବି, ବରୁଣ କହିଲେ ପ୍ରଥମେ ସାଂସଦଙ୍କ ଆଡୁ ଆରମ୍ଭ ହେଉ 

ନୂଆଦିଲ୍ଲୀ:ମାଗଣା ଉପହାର ପ୍ରସଙ୍ଗରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଆଜି ପୁଣିଥରେ ନିଜ ଦଳର ସରକାରକୁ ଟାର୍ଗେଟ୍ କରିଛନ୍ତି ।  ବିଜେପିର ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀ ଶୂନ୍ୟକାଳରେ ମୁଲତବୀ ନୋଟିସ ଦେଇ ‘ଦେଶରେ ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ଉପହାର ପରମ୍ପରା ଉପରେ କଟକଣା ଲଗାଇବାକୁ’ ଦାବି କରିଥିଲେ । ଏହି ଖବର ଆଧାରରେ ବରୁଣ ଗାନ୍ଧୀ ଟ୍ବିଟ୍ କରି ପ୍ରତିକ୍ରିୟା ରଖିଛନ୍ତି । ସେ ଲେଖିଛନ୍ତି, ବିଜେପି ସାଂସଦ ସୁଶୀଲ ମୋଦୀ ଗୃହରେ ମାଗଣା ସଂସ୍କୃତି ବନ୍ଦ କରିବା ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଛନ୍ତି। କିନ୍ତୁ ଜନସାଧାରଣଙ୍କୁ ମିଳୁଥିବା ମାଗଣା ସୁବିଧା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଆମେ ନିଜ ଉପରେ ନଜର ପକେଇବା ଉଚିତ। ଏହି ଆଲୋଚନା ସାଂସଦମାନଙ୍କୁ ମିଳୁଥିବା ପେନ୍‌ସନ୍‌ ଓ ଅନ୍ୟ ସମସ୍ତ ସୁବିଧା ବନ୍ଦ କରିବାଠୁ କାହିଁକି ଆରମ୍ଭ ହେବ ନାହିଁ?

ଏହାପୂର୍ବରୁ ଘରୋଇ ଗ୍ୟାସ ଦର ବିଷୟରେ ମଧ୍ୟ ବରୁଣ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ସେ ଲେଖିଥିଲେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୪.୧୩ କୋଟି ଲୋକ ନିଜ ଏଲପିଜି ସିଲିଣ୍ଡର ରିଫିଲ କରିପାରି ନାହାଁନ୍ତି । ଅନ୍ୟ ୭.୬୭ କୋଟି ଲୋକ କେବଳ ଥରେ ଏଲପିଜି ରିଫିଲ କରିଛନ୍ତି। ଘରୋଇ ଗ୍ୟାସ ମୂଲ୍ୟ ବୃଦ୍ଧି ଏବଂ ନଗଣ୍ୟ ସବସିଡି ସହ ଗରିବଙ୍କ ‘ଉଜ୍ଜ୍ବଳା ଚୁଲି’ ଲିଭିବାକୁ ବସିଲାଣି । “ସ୍ୱଚ୍ଛ ଇନ୍ଧନ, ଉତ୍ତମ ଜୀବନ” ର ପ୍ରତିଶ୍ରୁତି କ’ଣ ଏମିତି ପୂରଣ ହେବ?