ଅଗ୍ନିପଥ ଯୋଜନାରେ ଲଗାତାର ପରିବର୍ତ୍ତନ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ବରୁଣ, କହିଲେ ଏମିତି | News Room Odisha

ଅଗ୍ନିପଥ ଯୋଜନାରେ ଲଗାତାର ପରିବର୍ତ୍ତନ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ବରୁଣ, କହିଲେ ଏମିତି

ନୂଆଦିଲ୍ଲୀ: ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି। ଅଗ୍ନିପଥ ଯୋଜନାରେ ଲଗାତାର ପରିବର୍ତ୍ତନ ପାଇଁ ନିଜ ସରକାର ଉପରେ ଆକ୍ରମଣ କରି ଟୁଇଟ୍ କରିଛନ୍ତି। ବରୁଣ ଟ୍ୱିଟ୍ କରି ଲେଖିଛନ୍ତି ଯେ କିଛି ଘଣ୍ଟା ଭିତରେ ହିଁ ଅଗ୍ନିପଥ ଯୋଜନାରେ କ୍ରମାଗତ ପରିବର୍ତ୍ତିନ ହୋଇଛି, ଏଥିରୁ ସ୍ପଷ୍ଟ ଯେ ଯୋଜନା କରିବା ସମୟରେ ସମସ୍ତ ଦିଗକୁ ବିଚାରକୁ ନିଆଯାଇ ନାହିଁ। ଏଥି ସହ ସେ ସରକାରଙ୍କ ସମ୍ବେଦନଶୀଳତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଏହାପୂର୍ବରୁ ଗତକାଲି ମଧ୍ୟ ଏକ ଭିଡିଓ ବାର୍ତ୍ତାରେ ବରୁଣ ଗାନ୍ଧୀ ବିକ୍ଷୋଭକାରୀଙ୍କୁ ଧୈର୍ଯ୍ୟ ଧରିବାକୁ ଅପିଲ କରିଥିଲେ। ବରୁଣ କହିଥିଲେ, “ଆଶାୟୀ ସେନା ପ୍ରାର୍ଥୀଙ୍କ ଏହି ସଂଗ୍ରାମରେ ମୁଁ ପ୍ରତ୍ୟେକ ପାଦରେ ସେମାନଙ୍କ ସହ ଛିଡା ହୋଇଛି। ଧୈର୍ଯ୍ୟପୂର୍ବକ ଏବଂ ‘ଗଣତାନ୍ତ୍ରିକ ସମ୍ମାନ’ ବଜାୟ ରଖି ବିଭିନ୍ନ ମାଧ୍ୟମରେ ଦାବିପତ୍ର ସରକାରଙ୍କ ନିକଟକୁ ପଠାଇବାକୁ ଆପଣ ସମସ୍ତଙ୍କୁ ବିନମ୍ର ଅନୁରୋଧ | ଏକ ‘ସୁରକ୍ଷିତ ଭବିଷ୍ୟତ’ ପ୍ରତ୍ୟେକ ଯୁବକଙ୍କର ଅଧିକାର ! ନ୍ୟାୟ ହେବ।”

ଉତ୍ତରପ୍ରଦେଶର ପିଲିଭିଟରୁ ବିଜେପି ସାଂସଦ ବରୁଣ ଗାନ୍ଧୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ‘ଅଗ୍ନିପଥ’ ଯୋଜନା ଘୋଷଣାର କିଛି ଘଣ୍ଟା ମଧ୍ୟରେ ଏଥିରେ କରାଯାଇଥିବା ସଂଶୋଧନରୁ ଜଣାପଡୁଛି ଯେ ଯୋଜନା ସମୟରେ ବୋଧହୁଏ ସମସ୍ତ ଦିଗକ ଉପରେ ବିଚାର କରାଯାଇ ନାହିଁ। ଏହାଛଡ଼ା ସେ ମୋଦି ସରକାରଙ୍କ ସମ୍ବେଦନଶୀଳତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

ଜୁନ୍ ୧୬ରେ ବରୁଣ ଗାନ୍ଧୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି ‘ଅଗ୍ନିପଥ’ ଯୋଜନା ସମ୍ପର୍କରେ ଦେଶର ଯୁବକମାନଙ୍କ ମନରେ ରହାଥିବା ସନ୍ଦେହ ଦୂର କରିବା ପାଇଁ ଅନୁରୋଧ କରିଥିଲେ । ଯୁବକମାନଙ୍କୁ ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସରକାର ଏହି ଯୋଜନା ସହ ଜଡିତ ନୀତିଗତ ତଥ୍ୟକୁ ଶୀଘ୍ର ଉପସ୍ଥାପନ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ ବୋଲି ବରୁଣ କହିଥିଲେ ।