ଆଖି ବୁଜିଲେ ଅଭିନେତା ଅଜିତ ଦାସ, ୭୧ ବର୍ଷ ବୟସରେ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ | News Room Odisha

ଆଖି ବୁଜିଲେ ଅଭିନେତା ଅଜିତ ଦାସ, ୭୧ ବର୍ଷ ବୟସରେ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର –ଓଡିଆ ସିନେମା ଜଗତକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି । ଅଭିନେତା ଅଜିତ ଦାସଙ୍କ କୋରୋନାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଅଜିତ ଦାଶ ୬୦ରୁ ଅଧିକ ଓଡିଆ ଫିଲ୍ମରେ ଅଭିନ କରିଥିଲେ । ୧୯୭୬ରେ ସିନ୍ଦୁର ବିନ୍ଦୁ ଫିଲ୍ମରୁ ଆରମ୍ଭ ହୋଇଥିଲା ତାଙ୍କର ଫିଲ୍ମ କ୍ୟାରିଅର । ତାଙ୍କ ଅଭିନୀତ ଅନ୍ୟ ଫିଲ୍ମ ମଧ୍ୟରେ ସଂଧ୍ୟାତାରା , ଆହୁତି, ପୁନର୍ମିଳନ, କୁଳ ଚନ୍ଦ୍ରମା, ହାକିମ ବାବୁ,ଗୋଲାମଗିରି ପ୍ରମୁଖ । ମୟୂରଭଂଜ ଜିଲ୍ଲାର କରଂଜିଆ ର ୧୯୪୯ରେ ତାଙ୍କର ଜନ୍ମ । ଚଳଚ୍ଚିତ୍ର, ଟେଲିଭିଜନ ଓ ମଂଚ ନାଟକରେ ଅଜିତ ଥିଲେ ଜଣେ ସଫଳ କଳାକାର । ନ୍ୟାସନାଲ ସ୍କୁଲ୍ ଅଫ ଡ୍ରାମାରେ ବି ଶିକ୍ଷାଲାଭ କରିଥିଲେ ଅଜିତ । ଉତ୍କଳ ସଂଗୀଚ ମହାବିଦ୍ୟାଳୟରେ ବହୁ ବର୍ଷ ଅଧ୍ୟାପନା କରିଥିଲେ ଅଜିତ । କିଛି ବର୍ଷ ପାଇଁ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବି ଥିଲେ । ଅଜିତ ନାମକ ସଂସ୍ଥା ଜରିଆରେ ସେ ନାଟ୍ୟ ଶିକ୍ଷା ବି ଦେଇ ଆସୁଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଜିତ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଅଜିତ ଦାଶ ଜଣେ ଉଚ୍ଚ କୋଟୀର ଅଭିନେତା ଓ ନିର୍ଦ୍ଦେଶକ ଭାବେ ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଶୋକବାର୍ତାରେ କହିଛନ୍ତି । ତାଙ୍କ ବିୟୋଗ ଚଳଚ୍ଚିତ୍ର ଓ ନାଟ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି