ମଧ୍ୟ ପ୍ରଦେଶ ପରିସ୍ରା କାଣ୍ଡ ଅଭିଯୁକ୍ତଙ୍କୁ‌ ଛାଡ଼ି ଦେବାକୁ କହିଲେ ପୀଡିତ | News Room Odisha

ମଧ୍ୟ ପ୍ରଦେଶ ପରିସ୍ରା କାଣ୍ଡ ଅଭିଯୁକ୍ତଙ୍କୁ‌ ଛାଡ଼ି ଦେବାକୁ କହିଲେ ପୀଡିତ

ଭୋପାଳ: ମଧ୍ୟ ପ୍ରଦେଶ ପରିସ୍ରା କାଣ୍ଡର ପୀଡିତ ଦଶମତ ରାୱତ ଅଭିଯୁକ୍ତ ପ୍ରବେଶ ଶୁକ୍ଲାଙ୍କୁ ଛାଡ଼ି ଦେବାକୁ ଦାବି କରିଛନ୍ତି।

ସ୍ଥାନୀୟ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପରିଶ୍ରା କାଣ୍ଡ ପୀଡ଼ିତ ଦଶମତ କହିଛନ୍ତି, ସେ ଅଭିଯୁକ୍ତ ପ୍ରବେଶ ଶୁକ୍ଲାଙ୍କ ବିରୋଧରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଚାହୁଁନାହାଁନ୍ତି।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଦଶମତ କହିଛନ୍ତି, “ଆମେ ଆଉ ଆଗକୁ ବଢ଼ିବାକୁ ଚାହୁଁନାହୁଁ । ଯାହା ହୋଇଗଲା ତାହା ଅତୀତ । ବର୍ତ୍ତମାନ ପ୍ରବେଶ ଶୁକ୍ଲାଙ୍କୁ ମୁକ୍ତ କରାଯାଉ। ସେ ମଧ୍ୟ ତାଙ୍କ ଭୁଲ୍ ହୃଦୟଙ୍ଗମ କରିସାରିଛନ୍ତି।” ସେ ଆମ ଗାଁର ପଣ୍ଡିତ, ତେଣୁ ଆମେ ଅଧିକ କିଛି କହୁନାହୁଁ, ସରକାର ତାଙ୍କୁ ବର୍ତ୍ତମାନ ମୁକ୍ତ କରିବା ଉଚିତ ବୋଲି ଆମର ଦାବି। ”

ଦଶମତ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଇଛନ୍ତି।

ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ବ୍ୟକ୍ତି ଠିଆ ହୋଇ ଅନ୍ୟ ଜଣେ ବସିଥିବା ବ୍ୟକ୍ତିଙ୍କ ଉପରେ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି ।

ଭିଡିଓରେ ଜଣେ ଆଦିବାସୀ ସମ୍ପ୍ରଦାୟ ବ୍ୟକ୍ତିଙ୍କ ଉପରେ ପରିସ୍ରା କରୁଥିବା ପ୍ରବେଶ ଶୁକ୍ଲାଙ୍କ ଶାସକ ବିଜେପି ସହ ସମ୍ପର୍କ ସାମ୍ନାକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଥିଲା।

ବିବାଦ ବଢ଼ିବା ପରେ ମଧ୍ୟପ୍ରଦେଶ ସରକାର ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦାବି କରିଥିଲେ । ଏହାଛଡ଼ା ବୁଲଡୋଜର ଲଗାଇ ଅଭିଯୁକ୍ତଙ୍କ ଘରର ବେଆଇନ ଅଂଶକୁ ମଧ୍ୟ ଭାଙ୍ଗି ଦେଇଥିଲେ।

ଏହା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣାର ଶିକାର ହୋଇଥିବା ଦଶମତ ରାୱତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନିମନ୍ତ୍ରଣ କରିଥିଲେ । ସେ ତାଙ୍କ ପାଦ ଧୋଇ ଏହି ଘଟଣା ପାଇଁ ତାଙ୍କୁ କ୍ଷମା ମାଗିଥିଲେ।

ପରିସ୍ରା କାଣ୍ଡର ଏହି ଭିଡିଓ କେଉଁ ପରିସ୍ଥିତିରେ ରେକର୍ଡ ହୋଇଛି, କିଏ ଏହାକୁ ରେକର୍ଡ କରିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |