ବାହାବା ନେବାକୁ ଚାହୁଁଥିଲେ କେନ୍ଦ୍ର ମନ୍ତ୍ରୀ ସିନ୍ଧିଆ, ଚିଡ଼ି ଉଠିଲେ ରୋମାନିଆ ମେୟର, ଭିଡ଼ିଓ ଭାଇରାଲ୍ | News Room Odisha

ବାହାବା ନେବାକୁ ଚାହୁଁଥିଲେ କେନ୍ଦ୍ର ମନ୍ତ୍ରୀ ସିନ୍ଧିଆ, ଚିଡ଼ି ଉଠିଲେ ରୋମାନିଆ ମେୟର, ଭିଡ଼ିଓ ଭାଇରାଲ୍

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଛାତ୍ରମାନଙ୍କ ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ୟୁକ୍ରେନର ପଡୋଶୀ ଦେଶକୁ ଯାଇଛନ୍ତି। ଏହି ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଭିନ୍ନ ଶିବିରରେ ରହୁଥିବା ଭାରତୀୟ ଛାତ୍ରମାନଙ୍କୁ ଭେଟିଛନ୍ତି। ଏଥିପାଇଁ ସିନ୍ଧିଆଙ୍କୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଥିଲା | ଏବେ ତାଙ୍କର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ରୋମାନିଆ ମେୟର ମଧ୍ୟରେ ତୀବ୍ର ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ନେଇ କଂଗ୍ରେସ ଏବଂ ବିଜେପି ସିନ୍ଧିଆଙ୍କ ଉପରେ ଆକ୍ରମଣ କରିଛି।

ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ଲୋକମାନେ ସିନ୍ଧିଆଙ୍କୁ ଟାର୍ଗେଟ କରିଛନ୍ତି | ଲୋକମାନେ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ନିଜର ଓ ନିଜ ସରକାର ପାଇଁ ପବ୍ଲିସିଟି କରୁଥିଲେ। ସେ ଛାତ୍ରମାନଙ୍କ ସାମ୍ନାରେ ବା‌ହାବା ନେବାକୁ ଉଦ୍ୟମ କରୁଥିଲେ। କିନ୍ତୁ ରୋମାନିଆ ମେୟର ତାଙ୍କ ମିଛ ପଦାରେ ପକାଇ ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳୁଛି | ରୋମାନିଆରେ ଏକ ଶିବିରରେ ପହଞ୍ଚିବା ପରେ ମୋଦି ସରକାର ତୁମ ମାନଙ୍କ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି ବୋଲି ସିନ୍ଧିଆ ଛାତ୍ରମାନଙ୍କୁ କହିଥିଲେ ।

ଏହି ସମୟରେ ରୋମାନିଆର ମେୟର ତାଙ୍କୁ ଅଟକାଇ ଥିଲେ। ଏବଂ ସିନ୍ଧିଆଙ୍କୁ ପଚାରିଥିଲେ ଯେ ଆପଣ ଏମାନଙ୍କୁ (ଛାତ୍ରମାନଙ୍କୁ) ଏଠାରୁ କେବେ ନେବେ କୁହନ୍ତୁ । ସିନ୍ଧିଆ କହିଥିଲେ, ମୋତେ କଣ କହିବାକୁ ଅଛି କହିବାକୁ ଦିଅନ୍ତୁ । ଏହାପରେ ରୋମାନିଆ ରାଗି ଯାଇଥିଲେ । ସେ ସିନ୍ଧିଆଙ୍କୁ କହିଥିଲେ, ଆପଣଙ୍କ ସରକାର ନୁହେଁ, ଆମେ ଏଠାରେ ଏହି ଛାତ୍ରମାନଙ୍କ ପାଇଁ ସବୁ ବ୍ୟବସ୍ଥା କରୁଛୁ | ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି | ରୋମାନିଆ ମେୟରଙ୍କ କଥା ଶୁଣି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ, ମୁଁ ସବୁକିଛି ବୁଝିପାରୁଛି |

ଏହା ପରେ ସିନ୍ଧିଆ ଭାରତୀୟ ଛାତ୍ରମାନଙ୍କୁ କହିଥିଲେ ଯେ ଆମର ଯୋଜନା ହେଉଛି ସମସ୍ତ ଭାରତୀୟ ଛାତ୍ରଙ୍କୁ ପ୍ରତ୍ୟେକ ଶିବିରରୁ ସୁରକ୍ଷିତ ବାହାର କରିବା। ଏଥିପାଇଁ ରୋମାନିଆ ସରକାରଙ୍କୁ ଅନେକ ଅନେକ ଧନ୍ୟବାଦ |

କଂଗ୍ରେସ ନେତା ସଲମାନ ନିଜାମି ଏହି ଭିଡିଓକୁ ଟ୍ୱିଟ କରି ଲେଖିଛନ୍ତି ଯେ “ଜୁମଲା ଭାରତରେ କାମ ଦିଏ କିନ୍ତୁ ବିଦେଶୀ ମାଟିରେ ନୁହେଁ। ଦେଖନ୍ତୁ ରୋମାନିଆ ମେୟର କିପରି ରିଲିଫ୍ କ୍ୟାମ୍ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଶିକ୍ଷା ଦେଇଥିଲେ | ତୁମେ ଏଠାରୁ କେବେ ଯିବ ବୋଲି ତାଙ୍କୁ ପଚାରିଥିଲେ | ଆପଣ ନୁହେଁ, ରିଲିଫ୍ କ୍ୟାମ୍ପରେ ସ୍ଥାନ ଏବଂ ଖାଦ୍ୟ ଆମେ ଦେଉଛୁ |” କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ରୋମାନିଆ ମେୟରଙ୍କ କଥା ଶୁଣି ଛାତ୍ରମାନେ ତାଳି ମାରିଥିଲେ।