କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ବିପୁଳ ଆୟ ବର୍ହିଭୂତ ସଂପତ୍ତି ଠାବ, କେବଳ ଭୁବନେଶ୍ୱରରେ ୧୧ଟି ପ୍ଲଟ | News Room Odisha

କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ବିପୁଳ ଆୟ ବର୍ହିଭୂତ ସଂପତ୍ତି ଠାବ, କେବଳ ଭୁବନେଶ୍ୱରରେ ୧୧ଟି ପ୍ଲଟ

ଭୁବନେଶ୍ବର -ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନର ପିୟୁଷକାନ୍ତ ପାଣିଙ୍କ ବିପୁଳ ପରିମାଣର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ସୋମବାର ସକାଳୁ ଯାଜପୁର ରୋଡସ୍ଥିତ ତାଙ୍କ ଘର ସମେତ କଟକ ଓ ଭୁବନେଶ୍ୱରରେ ଏକକାଳୀନ ଚଢ଼ାଉ କରିଥିଲା ।

କେବଳ ଭୁବନେଶ୍ବରରେ ପିୟୁଷକାନ୍ତଙ୍କର ୧୧ଟି ପ୍ଲଟ ରହିଛି, ଯାହାର ମୂଲ୍ୟ ପାଖାପାଖି ୩ କୋଟି ଟଙ୍କା ହେବ। ଭିଜିଲାନ୍ସ ଟିମ୍‌ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରରେ ଏକ ତିନି ମହଲା କୋଠା, ଭୁବନେଶ୍ୱର ଅନ୍ଧାରୁଆରେ ଏକ ଫାର୍ମ ହାଉସ୍, ଭୁବନେଶ୍ୱର ଚକେଇସିଆଣୀରେ ଏକ ମହଲା କୋଠା, ଯାଜପୁର ରୋଡ୍‌ ବ୍ୟାସନଗର ସହରର ଚୋରଦା ଛକଠାରେ ୩ଟି ତିନି ମହଲା କୋଠା ଓ ଗୋଟିଏ ଏକ ମହଲା କୋଠା ମଧ୍ୟ ଠାବ କରିଛି।

ଏହାଛଡା ୫୩.୬୩ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଇନ୍‌ସୁରାନ୍ସ ଡିପୋଜିଟ୍ ସମେତ ୬ଟି ଦାମୀ କାର ଓ ୩୮୭ ଗ୍ରାମର ସୁନା ଚଢ଼ାଉରେ ମିଳିଛି। କାରଗୁଡ଼ିକର ମୂଲ୍ୟ ୬୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି । ସମ୍ପତ୍ତି ଠୁଳ ନେଇ ପିୟୂଷକାନ୍ତଙ୍କୁ ଭିଜିଲାନ୍ସ ପକ୍ଷରୁ ପଚରାଉଚରା ଜାରି ରହିଛି।