'ରାଜ୍ୟ ମାନଙ୍କ କ୍ଷମତା ସଙ୍କୁଚିତ କରୁଛି କେନ୍ଦ୍ର' | News Room Odisha

‘ରାଜ୍ୟ ମାନଙ୍କ କ୍ଷମତା ସଙ୍କୁଚିତ କରୁଛି କେନ୍ଦ୍ର’

କନ୍ନୁର (କେରଳ) : ରାଜ୍ୟ ମାନଙ୍କ କ୍ଷମତା ସଙ୍କୁଚିତ କରିବା ନେଇ କେନ୍ଦ୍ରକୁ ଭର୍ତ୍ସନା କରିଛନ୍ତି କେରଳ ଓ ତାମିଲନାଡୁର ମୁଖ୍ୟମନ୍ତ୍ରୀ । ରାଜ୍ୟ ମାନଙ୍କର କ୍ଷମତା ହ୍ରାସ କରି କେନ୍ଦ୍ରର ବିଜେପି ସରକାର ଦେଶର ଏକତା ତଥା ଅଖଣ୍ଡତାକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି।

କେରଳର ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ ଏବଂ ତାଙ୍କ ତାମିଲନାଡୁର ପ୍ରତିପକ୍ଷ ଏମ.କେ ଷ୍ଟାଲିନ ଅଭିଯୋଗ କରିଛନ୍ତି ଯେ ବିବିଧତା ମଧ୍ୟରେ ଏକତା ହେଉଛି ଦେଶର ସଂସ୍କୃତି । କିନ୍ତୁ ଦକ୍ଷିଣପନ୍ଥୀ ବାହିନୀ ଦେଶର ବିବିଧତାକୁ ହଟାଇବାକୁ ଚାହୁଁଛି ଯାହା ଦ୍ଵାରା ଭାରତ ଏକକ ରାଜ୍ୟ ହୋଇପାରିବ।

ହିନ୍ଦୀ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ ବିବାଦ ମଧ୍ୟରେ ବିଜୟନ ଓ ଷ୍ଟାଲିନ୍ ଅଭିଯୋଗ ଆଣିଛନ୍ତି। ନିକଟରେ ଶାହ କହିଥିଲେ ଆଞ୍ଚଳିକ ଭାଷା ପରିବର୍ତ୍ତେ ହିନ୍ଦୀକୁ ଇଂରାଜୀର ବିକଳ୍ପ ଭାବରେ ଗ୍ରହଣ କରାଯିବା ଉଚିତ୍।

ସିପିଆଇର ୨୩ ତମ କଂଗ୍ରେସ ଅବସରରେ ଦଳ ଦ୍ୱାରା ଆୟୋଜିତ ଏକ ସେମିନାରରେ ବିଜୟ ଏବଂ ଷ୍ଟାଲିନ ବିଜେପି ନେତୃତ୍ୱାଧୀନ ଏନଡିଏ ଉପରେ ଜୋରଦାର ଆକ୍ରମଣ କରିଥିଲେ ଏବଂ ଅଭିଯୋଗ କରିଥିଲେ ଯେ ସାମ୍ବିଧାନିକ ମୂଲ୍ୟବୋଧକୁ ଖଣ୍ଡନ କରି କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାର ମୂଳ ନୀତି ଉପରେ ଆକ୍ରମଣ କରୁଛନ୍ତି।

ବିଜୟନ କହିଛନ୍ତି, “ଭାରତ ଏକ ଏପରି ଦେଶ ଯାହା ବିବିଧତା ମଧ୍ୟରେ ଏକତା ପାଇଁ ପରିଚିତ | ଏହି ବିଚାରଧାରାର ଅର୍ଥ ହେଉଛି ବିବିଧତାକୁ ଗ୍ରହଣ କରିବା | ଆମର ସମ୍ବିଧାନ ମଧ୍ୟ ଭାରତର ଅନେକ ଆଞ୍ଚଳିକ ଭାଷାକୁ ସ୍ବୀକୃତି ଦେଇଛି | ଦୀର୍ଘ ଦିନର ସଂଘର୍ଷ ପରେ ଅଧିକାଂଶ ରାଜ୍ୟ ଭାଷା ଭିତ୍ତିରେ ଗଠନ କରାଯାଇଥିଲା। ସଂଘ ପରିବାରର ଏଜେଣ୍ଡା ଦେଶର ବିବିଧତା ଏବଂ ସଂଘୀୟ ବ୍ୟବସ୍ଥା ଉପରେ ବିଶ୍ବାସ କରେ ନାହିଁ | ଆଞ୍ଚଳିକ ଭାଷା ଗୁଡିକୁ ଦୁର୍ବଳ କରିବା ସେମାନଙ୍କର ଏଜେଣ୍ଡାର ଏକ ଅଂଶ ବୋଲି ସେ କହିଛନ୍ତି।

ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ ଯଦି ଭାରତର ସୁରକ୍ଷା କରିବାର ଅଛି ତେବେ ରାଜ୍ୟଗୁଡ଼ିକୁ ପ୍ରଥମେ ସୁରକ୍ଷା ଦିଆଯିବା ଉଚିତ । ରାଜ୍ୟଗୁଡ଼ିକ ସୁରକ୍ଷିତ ରହିଲେ ହିଁ ଦେଶ ସୁରକ୍ଷିତ ହୋଇପାରିବ।

ସେ କହିଛନ୍ତି ଯେ ବିବିଧତା ମଧ୍ୟରେ ଏକତା ହେଉଛି ଦେଶର ସଂସ୍କୃତି । କିନ୍ତୁ ବିବିଧତାକୁ ନଷ୍ଟ କରିବା ଏବଂ ଦେଶରେ ଏକକ ବ୍ୟବସ୍ଥା ଲାଗୁ କରିବା ପାଇଁ ଉଦ୍ୟମ କରାଯାଉଛି |

କେନ୍ଦ୍ରକୁ କ୍ଷମତାର ଲୋଭ ଘାରୁଥିବା ଅଭିଯୋଗ କରି ଷ୍ଟାଲିନ କହିଛନ୍ତି ଯେ କେନ୍ଦ୍ର ବିରୋଧୀ ଦଳଙ୍କ ଦ୍ବାରା ଶାସିତ ରାଜ୍ୟରେ ରାଜ୍ୟପାଳ ପଦର ଅପବ୍ୟବହାର କରୁଛି ଏବଂ ରାଜସ୍ବ ପାଇଁ କେନ୍ଦ୍ର ଆଗରେ ରାଜ୍ୟମାନେ ଯେଭଳି ହାତ ପତାଇବେ ଜାଣିଶୁଣି ସେଭଳି ପରିସ୍ଥିତି ସୃଷ୍ଟି କରୁଛି।