ପୁରସ୍କାର ଫେରାଇବାକୁ ପିଏମଓକୁ ଯାଉଥିବା ବେଳେ ଅଟକାଇଲା ପୋଲିସ, କର୍ତ୍ତବ୍ୟପଥରେ ଅର୍ଜୁନ, ଖେଳରତ୍ନ ପୁରସ୍କାର ରଖି ଫେରିଲେ ବିନେଶ | News Room Odisha

ପୁରସ୍କାର ଫେରାଇବାକୁ ପିଏମଓକୁ ଯାଉଥିବା ବେଳେ ଅଟକାଇଲା ପୋଲିସ, କର୍ତ୍ତବ୍ୟପଥରେ ଅର୍ଜୁନ, ଖେଳରତ୍ନ ପୁରସ୍କାର ରଖି ଫେରିଲେ ବିନେଶ

ନୂଆଦିଲ୍ଲୀ: କୁସ୍ତି ବିବାଦ ଥମିବାର ନାଁ ନେଉନାହିଁ। ବଜରଙ୍ଗ ପୁନିଆଙ୍କ ପରେ ଆଜି ମହିଳା ରେସଲର ବିନେଶ ଫୋଗାଟ ମଧ୍ୟ ତାଙ୍କ ପୁରସ୍କାର ଫେରାଇ ଦେଇଛନ୍ତି। ବିନେଶ ସମ୍ମାନ ଫେରାଇବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ଯାଇଥିଲେ, ହେଲେ ପୋଲିସ ତାଙ୍କୁ କର୍ତ୍ତବ୍ୟପଥରେ ଅଟକାଇଥିଲା | ତେଣୁ ବିନେଶ ତାଙ୍କ ଅର୍ଜୁନ ଓ ଖେଳରତ୍ନ ପୁରସ୍କାରକୁ କର୍ତ୍ତବ୍ୟପଥ ବ୍ୟାରିକେଡରେ ରଖି ଫେରିଆସିଥିଲେ। ବିନେଶଙ୍କ ପୂର୍ବରୁ ବଜରଙ୍ଗ ପୁନିଆ ମଧ୍ୟ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଫେରାଇ ଥିଲେ। ପୁନିଆ ମଧ୍ୟ କର୍ତ୍ତବ୍ୟପଥ ଫୁଟପାଥରେ ତାଙ୍କ ପୁରସ୍କାର ଥୋଇ ଆସିଥିଲେ।

ପୁରସ୍କାର ଫେରାଇବା ପୂର୍ବରୁ ବିନେଶ ଫୋଗାଟ କହିଥିଲେ ଯେ ଏପରି ଦିନ କୌଣସି ଖେଳାଳିଙ୍କ ଜୀବନରେ ଆସିବା ଉଚିତ ନୁହେଁ। ଦେଶର ମହିଳା କୁସ୍ତି ଖେଳାଳି ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍ଆଇ) ନିର୍ବାଚନରେ ବ୍ରିଜଭୂଷଣ ଶରଣ ସିଂହଙ୍କ ସହଯୋଗୀ ସଞ୍ଜୟ ସିଂହଙ୍କ ବିଜୟକୁ ବିରୋଧ କରିଥିଲେ । ସଭାପତି ଭାବେ ତାଙ୍କ ନିର୍ବାଚନ ପ୍ରତିବାଦରେ ସାକ୍ଷୀ ମଲିକ କୁସ୍ତିରୁ ଅବସର ଘୋଷଣା କରିଥିଲେ । ପରେ ବଜରଙ୍ଗ ପୁନିଆ ତାଙ୍କ ପଦ୍ମଶ୍ରୀ ଫେରାଇ ଦେଇଥିଲେ । ଏବେ ବିନେଶ ବି ପୁରସ୍କାର ଫେରାଇଛନ୍ତି ।

ସଞ୍ଜୟ ସିଂଙ୍କ ନେତୃତ୍ଵାଧୀନ କୁସ୍ତି ସଂଘକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଲମ୍ବିତ କରିଥିଲା। ମନ୍ତ୍ରଣାଳୟ କହିଥିଲା ଯେ ଜାତୀୟ ପ୍ରତିଯୋଗିତା ତରବରିଆ ଭାବେ ଘୋଷଣା କରି ନିଜ ସମ୍ବିଧାନ ନିଜେ ଉଲ୍ଲଙ୍ଘନ କରିଛି କୁସ୍ତି ସଂଘ।