ବିନେଶ ଫେରାଇବେ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର | News Room Odisha

ବିନେଶ ଫେରାଇବେ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ବଜରଙ୍ଗ ପୁନିଆଙ୍କ ପରେ ମହିଳା ରେସଲର ବିନେଶ ଫୋଗାଟ୍ ମଧ୍ୟ ପୁରସ୍କାର ଫେରାଇବେ। ବିନେଶ ମଙ୍ଗଳବାର ଟୁଇଟ୍ କରି ସେ ତାଙ୍କ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ଫେରାଇବେ ବୋଲି ଘୋଷଣା କରିଛନ୍ତି ‌। ବଜରଙ୍ଗଙ୍କ ଭଳି ବିନେଶ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ମହିଳା କୁସ୍ତି ଖେଳାଳିଙ୍କୁ ନ୍ୟାୟରୁ ବଞ୍ଚିତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତିି । ତାଙ୍କ ଭଳି ଖେଳାଳିଙ୍କ ଏପରି ଅବସ୍ଥା ପାଇଁ ‘ପ୍ରଭାବଶାଳୀ ବ୍ୟକ୍ତି’ଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିନେଶ ।

ଏହାଛଡ଼ା ସେ ମୋଦୀଙ୍କୁ ଚିଠିରେ ଲେଖିଛନ୍ତି, ‘ଶୋଷଣକାରୀ ମଧ୍ୟ ନିଜ ଆଧିପତ୍ୟ ଜାହିର କରିଛନ୍ତି।’

ଭାରତୀୟ କୁସ୍ତି ସଂଘ ନିର୍ବାଚନରେ ସଞ୍ଜୟ ସିଂହଙ୍କ ବିଜୟ ପରେ ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ କହିଥିଲେ ‘ସଂଘରେ ତାଙ୍କ ଦବଦବା ରହିଆସିଛି ଏବଂ ରହିବ।’

କୁସ୍ତି ସଂଘର ନୂଆ ସଭାପତି ସଞ୍ଜୟ ସିଂହ, ବ୍ରିଜ ଭୂଷଣଙ୍କ ଅନୁଗତ ହୋଇଥିବାରୁ ତାଙ୍କ ବିଜୟକୁ ବିରୋଧ କରି ଅଲିମ୍ପିକ ପଦକ ବିଜୟିନୀ ସାକ୍ଷୀ ମଲିକ କୁସ୍ତି ଛାଡ଼ିବାକୁ ଘୋଷଣା କରିଥିଲେ । ଏହାର କିଛି ଦିନ ପରେ ଆଉ ଜଣେ ଅଲିମ୍ପିକ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେଇଥିଲେ।

ବିବାଦ ଦୃଷ୍ଟିରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ରବିବାର ଭାରତୀୟ କୁସ୍ତି ସଂଘ ନବ ନିର୍ବାଚିତ ପରିଷଦକୁ ନିଲମ୍ବିତ କରିଥିଲା । ନୂଆ ସଭାପତି ସଞ୍ଜୟ ସିଂହଙ୍କୁ ମଧ୍ୟ ସସପେଣ୍ଡ୍ କରାଯାଇଥିଲା । ଏହାପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ ବ୍ରିଜ ଭୂଷଣ । ନଡ୍ଡାଙ୍କୁ ଭେଟିବା ପରେ ସେ ଆଉ କୁସ୍ତି ସଂଘ ରାଜନୀତି ସହ ଜଡ଼ିତ ରହିବେ ନାହିଁ ବୋଲି କହିଥିଲେ ବ୍ରିଜ ଭୂଷଣ ।

ଉଲ୍ଲେଖଯୋଗ୍ୟ, ମହିଳା କୁସ୍ତି ଖେଳାଳିଙ୍କୁ ବ୍ରିଜ ଭୂଷଣ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରି ବିନେଶ, ସାକ୍ଷୀ ଓ ବଜରଙ୍ଗଙ୍କ ଭଳି ଦେଶର ଅନେକ ଷ୍ଟାର ରେସଲର ଦିଲ୍ଲୀର ଜନ୍ତର ମନ୍ତରଠାରେ ଦୀର୍ଘ ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏହି ମାମଲାରେ ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ବିରୋଧରେ କେସ୍ ରୁଜୁ କରିଥିଲେ ମଧ୍ୟ ଏହି ବିଜେପି ସାଂସଦଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।