ପୁଣି ଅଶାନ୍ତ ଜେଏନୟୁ, ଆମିଷ ଖାଇବାକୁ କେନ୍ଦ୍ର କରି ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଏବିଭିପି ବିରୋଧରେ ମାମଲା ରୁଜୁ | News Room Odisha

ପୁଣି ଅଶାନ୍ତ ଜେଏନୟୁ, ଆମିଷ ଖାଇବାକୁ କେନ୍ଦ୍ର କରି ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଏବିଭିପି ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପୁଣି ଅଶାନ୍ତ ହୋଇ ଉଠିଛି । ଆମିଷ ଖାଇବାକୁ କେନ୍ଦ୍ର କରି ବାମ ଛାତ୍ର ସଂଗଠନ (ଏଆଇଏସ୍ଏ) ଏବଂ ବିଜେପିର ଛାତ୍ର ସଂଗଠନ ଏବିଭିପି ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଆମିଷ ଖାଇବାକୁ ନେଇ ଏବିଭିପି ଛାତ୍ର ଗୋଷ୍ଠୀର ଆକ୍ରମଣରେ ବହୁ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଛାତ୍ର ସଂଗଠନ ମଧ୍ୟରେ ଏହି ଝଗଡ଼ା ମୁଖ୍ୟତଃ ବିଶ୍ୱବିଦ୍ୟାଳୟର ମେସରେ ଆମିଷ ଖାଦ୍ୟକୁ କେନ୍ଦ୍ର କରି ଘଟିଛି | ବାମ ଛାତ୍ର ସଂଗଠନ ଅଭିଯୋଗ କରିଛି ଯେ ବିଶ୍ୱବିଦ୍ୟାଳୟର କାବେରୀ ହଷ୍ଟେଲ ମେସରେ କିଛି ଛାତ୍ର ଆମିଷ ଖାଦ୍ୟ ଖାଇବାକୁ ଏବିଭିପି କାର୍ଯ୍ୟକର୍ତ୍ତାମାନେ ବିରୋଧ କରିଥିଲେ। ଏହାପରେ ଏବିଭିପି ଛାତ୍ର ଗୋଷ୍ଠୀ ଆମିଷ ଖାଉଥିବା ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

କିନ୍ତୁ ଏବିଭିପି କହିଛି ଯେ ରାମ ନବମୀ ପୂଜା କଲାବେଳେ ବାମପନ୍ଥୀ ଛାତ୍ର ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।

ଅନ୍ୟପକ୍ଷରେ, ବାମ ଛାତ୍ର ସଂଗଠନ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (ଏଆଇଏସ୍ଏ) ଟୁଇଟ୍ କରି ଦାବି କରିଛି ଯେ ଏବିଭିପି କାର୍ଯ୍ୟକର୍ତ୍ତାମାନେ ଆକ୍ରମଣ କରିଥିଲେ ଯେଉଁଥିରେ ଅନେକ ଛାତ୍ର ଆହତ ହୋଇଥିଲେ। ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ପରେ ପୋଲିସ ମଧ୍ୟ ପହଞ୍ଚିଥିଲା। ଛାତ୍ର ସଂଗଠନ କହିଛି ଯେ ସେମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ସୋମବାର ସକାଳେ ଜେଏନୟୁ ଷ୍ଟୁଡେଣ୍ଟସ୍ ୟୁନିଅନ୍, ଏସ୍ଏଫ୍ଆଇ, ଡିଏସ୍ଏଫ୍ ଏବଂ ଏଆଇଏସ୍ଏ ର ଛାତ୍ର ସଂଗଠନ ଏବିଭିପିର ଅଜ୍ଞାତ ଛାତ୍ରୀଛାତ୍ରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୋଲିସ ଆଇପିସିର ବିଭିନ୍ନ ଧାରାରେ ଏଫଆଇଆର ରୁଜୁ କରିଛି ।