ଅକ୍ଟୋବର ପାଇଁ ବିରାଟ କୋହଲି ଜିତିଲେ ଆଇସିସିର 'ପ୍ଲେୟାର ଅଫ୍ ଦି ମନ୍ଥ' ପୁରସ୍କାର | News Room Odisha

ଅକ୍ଟୋବର ପାଇଁ ବିରାଟ କୋହଲି ଜିତିଲେ ଆଇସିସିର ‘ପ୍ଲେୟାର ଅଫ୍ ଦି ମନ୍ଥ’ ପୁରସ୍କାର

ଦୁବାଇ: ଅକ୍ଟୋବର ମାସ ପାଇଁ ବିରାଟ କୋହଲିଙ୍କୁ ‘ପ୍ଲେୟାର ଅଫ୍ ଦି ମନ୍ଥ” ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ।

ଅନ୍ୟପକ୍ଷରେ ମହିଳା ଏସିଆ କପରେ ପାକିସ୍ତାନ ତରଫରୁ ଚମତ୍କାର ପ୍ରଦର୍ଶନ କରିଥିବା ନିଦା ଦରଙ୍କୁ ମହିଳା ବର୍ଗରେ ‘ପ୍ଲେୟାର ଅଫ୍ ଦି ମନ୍ଥ” ପୁରସ୍କାର ପ୍ରଦାନ କରାଯାଇଛି।

ମିଡିଆ ପ୍ରତିନିଧୀ, ଆଇସିସି ହଲ୍ ଅଫ୍ ଫ୍ୟାମର୍ସ, ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଏବଂ ପ୍ରଶଂସକଙ୍କ ଭୋଟ୍ ଆଧାରରେ ଉଭୟ କୋହଲି ଏବଂ ଦର ବିଜେତା ଘୋଷିତ ହୋଇଛନ୍ତି ।

କୋହଲି ପ୍ରଥମ ଥର ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ଏହି ଭାରତୀୟ ସୁପରଷ୍ଟାର ବ୍ୟାଟର ଦକ୍ଷିଣ ଆଫ୍ରିକା ଡେଭିଡ ମିଲର ଏବଂ ଜିମ୍ବାୱେର ସିକନ୍ଦର ରଜାଙ୍କୁ ପଛରେ ପକାଇ ଏହି ଆଇସିସି ପୁରସ୍କାର ଜିତିଛନ୍ତି ।

କୋହଲି ଅକ୍ଟୋବରରେ ୨୦୫ ଅନ୍ତର୍ଜାତୀୟ ରନ୍ କରିଥିଲେ । ସେ ନେଦରଲାଣ୍ଡ୍ସ ବିପକ୍ଷରେ ଅପରାଜିତ 62 ରନ୍ କରିଥିଲେ। ତା’ପୂର୍ବରୁ ମେଲବୋର୍ଣ୍ଣରେ ପାକିସ୍ତାନ ବିପକ୍ଷରେ ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ ୫୩ ବଲରେ ଅପରାଜିତ ୮୨ ରନ୍ କରି ଭାରତକୁ ରୋମାଞ୍ଚକ ବିଜୟ ଦେଇଥିଲେ ।

ଅନ୍ୟପକ୍ଷରେ ନିଦା ଦର ଅକ୍ଟୋବରରେ ମହିଳା ଏସିଆ କପର ୬ଟି ମ୍ୟାଚରେ ୧୪୫ ରନ୍ ସଂଗ୍ରହ କରିବା ସହ ୮ ଟି ୱିକେଟ୍ ନେଇଥିଲେ। ଦର ଭାରତର ଦୁଇ ଖେଳାଳି ଜେମିମା ରଡ୍ରିଗ୍ବେଜ୍ ଓ ଦୀପ୍ତି ଶର୍ମାଙ୍କ ହରାଇ ଏହି ସମ୍ମାନ ଜିତିଛନ୍ତି ।