ଭିସ୍ତାରା ବିମାନରେ ବୋମା ଆତଙ୍କ, ଜଣେ ଯାତ୍ରୀ ଗିରଫ | News Room Odisha

ଭିସ୍ତାରା ବିମାନରେ ବୋମା ଆତଙ୍କ, ଜଣେ ଯାତ୍ରୀ ଗିରଫ

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭିସ୍ତାରା ଏୟାରଲାଇନ୍ସରେ ବୋମା ନେଉଥିବା ସନ୍ଦେହରେ ଜଣେ ପୁରୁଷ ଯାତ୍ରୀଙ୍କୁ ଗିରଫ କରାଯାଇଛି। ପୁରୁଷ ଯାତ୍ରୀ ଫୋନରେ ‘ବୋମା’ ବିଷୟରେ କଥା ହେଉଥିବା ନେଇ ଜଣେ ମହିଳା ସହଯାତ୍ରୀ ଫ୍ଲାଇଟ୍ କ୍ରୁ ସଦସ୍ୟଙ୍କ ନିକଟରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ପରେ କ୍ରୁ ସଦସ୍ୟ ପୁରୁଷ ଯାତ୍ରୀଙ୍କୁ ସିଆଇଏସ୍ଏଫ୍ କୁ ହସ୍ତାନ୍ତର କରିଥିଲେ । ପରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା।
ତେବେ ସିଆଇଏସ୍ଏଫର ତଲାସି ବେଳେ ଏହା ଏକ ଗୁଜବ ବୋଲି ଜଣାପଡ଼ିଥିଲା । ଏଥିପାଇଁ ଫ୍ଲାଇଟ୍ ପ୍ରାୟ ଦୁଇ ଘଣ୍ଟା ବିଳମ୍ବ ମଧ୍ୟ ହୋଇଥିଲା । ଜୁନ୍ ୭ର ଏହି ଘଟଣା ଦିଲ୍ଲୀରୁ ମୁମ୍ବାଇ ଦେଇ ଦୁବାଇ ଯାଉଥିବା ୟୁକେ-୯୪୧ ଭିସ୍ତାରା ବିମାନରେ‌ ଘଟିଥିଲା ।

ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଗିରଫ ପୁରୁଷ ଯାତ୍ରୀ ଭିସ୍ତାରା ଏୟାରଲାଇନ୍ସର ବିମାନ ନମ୍ବର ୟୁକେ -୯୪୧ (ଦିଲ୍ଲୀରୁ ମୁମ୍ବାଇ) ରେ ଯାତ୍ରା କରୁଥିଲେ। ଏହା ଜରିଆରେ ସେ ମୁମ୍ବାଇରୁ ଏକ କନେକ୍ଟିଂ ଫ୍ଲାଇଟରେ ଦୁବାଇ ଯିବାର ଥିଲା। ଫ୍ଲାଇଟ୍ ଅପରାହ୍ନ ୪.୫୫ରେ ଛାଡ଼ିବାର ଥିଲା |

ସେ ଚାକିରି ପାଇଁ ଦୁବାଇ ଯାଉଛନ୍ତି ବୋଲି ଯାତ୍ରୀ ଜଣକ ତାଙ୍କ ମା’ଙ୍କ ସହିତ ଫୋନରେ କଥା ହେଉଥିଲେ। ତାଙ୍କ ପାଖରେ ବସିଥିବା ଜଣେ ମହିଳା ଯାତ୍ରୀ ତାଙ୍କ କଥାବାର୍ତ୍ତା ଶୁଣୁଥିଲେ।

ପୁରୁଷ ଯାତ୍ରୀ ତାଙ୍କ ମା’ଙ୍କୁ କହିଥିଲେ ଯେ ବୋମା ସନ୍ଦେହରେ ସିଆଇଏସ୍ଏଫ୍ ତାଙ୍କ ବ୍ୟାଗରୁ ନଡ଼ିଆ ଜବତ କରିଥିଲା । କିନ୍ତୁ ସେହି ବ୍ୟାଗରେ ରଖାଯାଇଥିବା ଗୁଟଖା ବିଷୟରେ ସେମାନେ କିଛି କହିନଥିଲେ ।

ବୋମା କଥା ଶୁଣି ମହିଳା ସହଯାତ୍ରୀ ଆଲାର୍ମ ବଜାଇଥିଲେ। ଏହାପରେ ବିମାନ କ୍ରୁ’ ସିଆଇଏସଏଫକୁ ସୂଚନା ଦେଇଥିଲେ। ଗିରଫ ପୁରୁଷ ଯାତ୍ରୀ ଜଣକୁ ବୋମା ବିଷୟରେ କଥା ହେଉଥିବା ଅଭିଯୋଗରେ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ଉତ୍ତର ପ୍ରଦେଶ ପିଲଭିଟର ଆଜମ ଖାନ୍ ବୋଲି ଜଣାପଡ଼ିଛି । ପୋଲିସ ତାଙ୍କୁ ପଚରାଉଚରା କରୁଛି ।