କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ, ୨,୬୧୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ | News Room Odisha

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ, ୨,୬୧୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ୨୨୪ ଆସନ ଲାଗି ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏଥର ନିର୍ବାଚନରେ ବିଜେପି-କଂଗ୍ରସ-ଜେଡିଏସ୍ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେବାକୁ ଥିବା ବେଳେ ୨,୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ୩୬ଟି ଆସନ ଅନୁସୂଚିତ ଜାତି ଓ ୧୫ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।

ମତଦାନ ଲାଗି ମୋଟ ୫୮,୨୮୨ ପୋଲିଂ ଷ୍ଟେସନ୍ ସ୍ଥାପନ କରାଯାଇଛି । ମହିଳା ଅଧିକାରୀଙ୍କ ଦ୍ବାରା ପ୍ରାୟ ୧,୩୨୦ ଷ୍ଟେସନ୍‌ ପରିଚାଳିତ ହେବ। ରାଜ୍ୟରେ ମୋଟ ୫.୨୧ କୋଟି ଭୋଟର ଅଛନ୍ତି। ମହିଳା ଭୋଟର ସଂଖ୍ୟା ୨.୫୯ କୋଟି ଓ ପୁରୁଷ ଭୋଟର ସଂଖ୍ୟା ୨.୬୨ କୋଟି ରହିଛି। ରାଜ୍ୟରେ ୯.୧୭ ଲକ୍ଷ ଭୋଟର୍ ପ୍ରଥମ ଥର ପାଇଁ ମତସାବ୍ୟସ୍ତ କରିବାକୁ ଯାଉଛନ୍ତି । ମେ ୧୩ ବା ଶନିବାର ଭୋଟ୍ ଗଣତି କରାଯିବ।

କର୍ଣ୍ଣାଟକରେ ୧୯୮୫ ଠାରୁ କୌଣସି ନିର୍ଦ୍ଦିଷ୍ଟ ଦଳ କ୍ରମାଗତ ସରକାର ଗଢ଼ିବା ନଜିର ନାହିଁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଷ୍ଟାର ପାଓ୍ବାର ବଳରେ ବିଜେପି ଏଥର ଏହି ୩୫ ବର୍ଷର ଧାରା ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ କଂଗ୍ରେସ ଏହି ଦକ୍ଷିଣ ରାଜ୍ୟରେ କ୍ଷମତାକୁ ଫେରିବା ଲାଗି ଆଶାବାଦୀ ରହିଥିବା ବେଳେ ଜେଡିଏସ୍ ମଧ୍ୟ ବିଶେଷଜ୍ଞଙ୍କ ପୂର୍ବାନୁମାନକୁ ଭୁଲ୍ ସାବ୍ୟସ୍ତ କରିବାକୁ ସକ୍ଷମ ।