କଡ଼ା ସୁରକ୍ଷା ମଧ୍ୟରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଆରମ୍ଭ | News Room Odisha

କଡ଼ା ସୁରକ୍ଷା ମଧ୍ୟରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଆରମ୍ଭ

କୋଲକାତା: କଡ଼ା ସୁରକ୍ଷା ମଧ୍ୟରେ ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଛି। ରାଜ୍ୟର ୨୨ଟି ଜିଲ୍ଲା ପରିଷଦର ୯୨୮ଟି ଆସନ ସହ ୯୭୩୦ ପଞ୍ଚାୟତ ସମିତି ଏବଂ ୬୩,୨୨୯ ଗ୍ରାମ ପଞ୍ଚାୟତ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ପ୍ରାୟ ୫.୬୭ କୋଟି ଲୋକ ଭୋଟ୍ ଦେବେ । ଜୁଲାଇ ୧୧ରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ | ନିର୍ବାଚନ ପୂର୍ବ ରାଜ୍ୟରେ ବ୍ୟାପକ ରାଜନୈତିକ ହିଂସାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା ଓ ଅନେକ ଆହତ ହୋଇଥିଲେ।

ପଞ୍ଚାୟତ ନିର୍ବାଚନ ଯେପରି ଶାନ୍ତିପୂର୍ଣ୍ଣ ହେବ ସେଥିପାଇଁ ପ୍ରାୟ ୬୫,୦୦୦ କେନ୍ଦ୍ରୀୟ ପୋଲିସ ଏବଂ ୭୦,୦୦୦ ରାଜ୍ୟ ପୋଲିସ ମୁତୟନ ହୋଇଛନ୍ତି। ଏହା ସତ୍ତ୍ବେ ହିଂସା ବନ୍ଦ ହୋଇନାହିଁ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁର୍ସିଦାବାଦର ଶମଶେରଗଞ୍ଜ ଅଞ୍ଚଳରେ ଟିଏମସି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି। ହିଂସାକୁ ଦୃଷ୍ଟିରେ ରଖି କଲିକତା ହାଇକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ ଯେ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ମଧ୍ୟ କେନ୍ଦ୍ରୀୟ ବାହିନୀ ପୂରା ରାଜ୍ୟରେ ୧୦ ଦିନ ପର୍ଯ୍ୟନ୍ତ ରହିବ। ଭଙ୍ଗର, ମୁର୍ସିଦାବାଦ, କୁଚ ବିହାର, ବସନ୍ତୀ, ନନ୍ଦିଗ୍ରାମ ଏବଂ ବିରଭୂମ ଆଦି ଅଞ୍ଚଳରେ ବ୍ୟାପକ ହିଂସା ଘଟିଥିଲା ।