ୱାଗନର୍ ଗ୍ରୁପ୍ ଓ ପୁଟିନଙ୍କ ମଧ୍ୟରେ ବୁଝାମଣା, ରୁଷ ଛାଡ଼ିବେ ପ୍ରିଗୋଜିନ | News Room Odisha

ୱାଗନର୍ ଗ୍ରୁପ୍ ଓ ପୁଟିନଙ୍କ ମଧ୍ୟରେ ବୁଝାମଣା, ରୁଷ ଛାଡ଼ିବେ ପ୍ରିଗୋଜିନ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ କ୍ଷମତା ପ୍ରତି ଦେଖାଦେଇଥିବା ବିପଦ ଟଳିଛି । ପୁଟିନ ଓ ଦେଶର ପ୍ରାଇଭେଟ୍ ଆର୍ମି ତଥା ‘ୱାଗନର୍ ଗ୍ରୁପ୍’ର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ମଧ୍ୟରେ ବୁଝାମଣା ହୋଇଛି ।

ରୁଷର ସରକାରୀ ଗଣମାଧ୍ୟମ ଅନୁଯାୟୀ ୱାଗନର୍ ଗ୍ରୁପ୍‌ର ମୁଖ୍ୟ ୟେଭେଗେନି ପ୍ରିଗୋଜିନ୍ ରୁଷ ଛାଡ଼ି ବେଲାରୁଷ ଯିବେ । ବେଲାରୁଷ ହେଉଛି ରୁଷର ଘନିଷ୍ଠ ସହଯୋଗୀ ।

ରିପୋର୍ଟ ଅନୁଯାୟୀ, ରକ୍ତପାତ ରୋକିବା ପାଇଁ ୟେଭେଗେନି ପ୍ରିଗୋଜିନ୍ ଏବଂ ତାଙ୍କ ସୈନ୍ୟବାହିନୀଙ୍କ କ୍ଷମା ଦିଆଯିବ ଓ ସବୁ ଅଭିଯୋଗ ପ୍ରତ୍ୟାହାର କରାଯିବ ।

ଶନିବାର ୱାଗନର୍ ଗ୍ରୁପ୍ ରୁଷର ରୋସ୍ତୋଭ ସହରକୁ ଦଖଲ କରିଥିବା ଦାବି କରିବା ସହ ମସ୍କୋ ଅଭିମୁଖେ ଯାଉଥିବା କହିଥିଲେ। କିନ୍ତୁ ରାତି ସୁଦ୍ଧା ପ୍ରିଗୋଜିନ୍ ଓ ତାଙ୍କର ଭଡ଼ାଟିଆ ସୈନ୍ୟ ପଛକୁ ହଟିଥିବା ଜଣାପଡ଼ିଛି ।

ରୋସ୍ତୋଭ ସହରରୁ ହଟୁଥିବା ସମୟରେ କିନ୍ତୁ ସ୍ଥାନୀୟ ଲୋକମାନେ ଓ୍ବାଗନର ଗ୍ରୁପ୍ ସୈନ୍ୟମାନଙ୍କୁ ଆଲିଙ୍ଗନ କରି ବିଦାୟ ଦେଉଥିବାର ଦେଖିବାକୁ ମିଳିଥିଲା ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁଟିନଙ୍କ ସହ ବୁଝାମଣାର ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ମଧ୍ୟସ୍ଥତା କରିଥିଲେ । ସେ ୟେଭେଗେନି ପ୍ରିଗୋଜିନଙ୍କ ସହ କଥା ହୋଇଥିଲେ ଓ ତାଙ୍କୁ ବିଦ୍ରୋହକୁ ନିବୃତ୍ତ ରହିବାକୁ ବୁଝାଇଥିଲେ । ଏହା ପରେ ପ୍ରିଗୋଜିନ୍ ରାଜଧାନୀ ଅଭିମୁଖେ ଅଗ୍ରସର ହେଉଥିବା ତାଙ୍କ ଯୋଦ୍ଧା ମାନଙ୍କୁ ଅଟକାଇଥିଲେ। ଏହାଛଡ଼ା ପ୍ରିଗୋଜିନ୍ ପରିସ୍ଥିତିକୁ ଆହୁରି ଖରାପ ନ କରିବାକୁ ରାଜି ହୋଇଥିଲେ।

ଦିନକ ପୂର୍ବରୁ ମସ୍କୋ ଅଭିମୁଖେ ବଢ଼ବା ପୂର୍ବରୁ ପ୍ରିଗୋଜିନ୍ କହିଥିଲେ ଯେ ତାଙ୍କର ଉଦ୍ଦେଶ୍ୟ ପୁଟିନଙ୍କ ବିରୋଧରେ ସଶସ୍ତ୍ର ବିଦ୍ରୋହ ନୁହେଁ । କିନ୍ତୁ ସେ ଯାହା କରୁଛନ୍ତି ତାହା ନ୍ୟାୟ ପାଇଁ କରୁଛନ୍ତି । ପ୍ରିଗୋଜିନ୍ ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ଶୋଏଗୁ ଏବଂ ଜେନେରାଲ ଜେରାସିମୋଭଙ୍କୁ ହଟାଇବାକୁ ଦାବି କରିଥିଲେ ।