ମହାଦେବ ବେଟିଂ ମାମଲା ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଲେ 'ବିଜେପି ମୋତେ ଡ଼ରୁଛି' | News Room Odisha

ମହାଦେବ ବେଟିଂ ମାମଲା ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଲେ ‘ବିଜେପି ମୋତେ ଡ଼ରୁଛି’

ରାୟପୁର: ମହାଦେବ ବେଟିଂ ଆପର ପ୍ରମୋଟରଙ୍କ ଠାରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ୫୦୮ କୋଟି ଟଙ୍କା ନେଇଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାବି ପରେ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ରାୟପୁର ଜଣେ ବ୍ୟକ୍ତିଙ୍କ ବୟାନ ଆଧାରରେ ଇଡ଼ି ଏଭଳି ଦାବି କରିଛି ଓ ଏହା ତଦନ୍ତ ସାପେକ୍ଷ ବୋଲି କହିଛି।

ଇଡିର ଏହି ଦାବି ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଛତିଶଗଡ଼ର କଂଗ୍ରେସ ସରକାରକୁ ଟାର୍ଗେଟ୍ କରିଛନ୍ତି । ଭୁପେଶ ବାଘେଲ ଜୁଆଖେଳର ଚେହେରା ସାଜିଛି ବୋଲି କହିଛନ୍ତି ଇରାନୀ । ବେଆଇନ ଜୁଆଖେଳରୁ ପ୍ରାପ୍ତ ଅର୍ଥକୁ କଂଗ୍ରେସ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରୁଛି ବୋଲି ଇରାନୀ ଅଭିଯୋଗ କରିଥିଲେ ।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଅଭିଯୋଗର ଜବାବ ରଖିଛନ୍ତି ବାଘେଲ । ସେ କହିଛନ୍ତି, ‘ମୋ ବିରୋଧରେ ଅଭିଯୋଗ କରିବା ଅର୍ଥ ହେଉଛି ବିଜେପି ମୋତେ ଭୟ କରୁଛି । ମୋର ଛବି ଖରାପ କରିବାକୁ ଚାହୁଁଛି ବିଜେପି । ଏହାପୂର୍ବରୁ ସେମାନେ ହିମନ୍ତ ବିଶ୍ୱ ସର୍ମା ଓ ଅଜିତ ପାୱାରଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ଅଭିଯୋଗ ଆଣିଥିଲେ। ତଦନ୍ତ ବି କରିଥିଲେ। କିନ୍ତୁ ବିଜେପିରେ ଯୋଗଦେବା କ୍ଷଣି ଦୁହେଁ ଧୋବ ଧାଉଳିଆ ହୋଇଗଲେ।

ଉଲ୍ଲେଖଯୋଗ୍ୟ, ଇଡି ଅସୀମ ଦାସ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା। ତାଙ୍କ ଠାରୁ ୫.୩୯ କୋଟି ଟଙ୍କା ଜବତ କରିଥିଲା ଇଡି। ମନି ଲଣ୍ଡରିଂ ଆଇନ ଅନୁଯାୟୀ ଇଡି ମହାଦେବ ଅନଲାଇନ୍ ବେଟିଂ ଆପ୍ ଏବଂ ଏହାର ପ୍ରମୋଟରଙ୍କ ବିରୋଧରେ ତଦନ୍ତ କରୁଛି।

ଏଜେନ୍ସି ଏକ ବିବୃତ୍ତିରେ କହିଛି, “ଅସୀମ ଦାସଙ୍କୁ ପଚରାଉଚରା ଓ ତାଙ୍କଠାରୁ ଜବତ ଫୋନର ଫରେନସିକ୍ ଯାଞ୍ଚ୍ ସହ ଶୁଭମ୍ ସୋନି (ମହାଦେବ ନେଟୱାର୍କର ଜଣେ ଉଚ୍ଚପଦସ୍ଥ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ) ପଠାଇଥିବା ଇମେଲରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ମହାଦେବ ଆପର ପ୍ରମୋଟରମାନେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ନିୟମିତ ହାଓ୍ବଲା ଜରିଆରେ ଟଙ୍କା ଦେଉଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ପ୍ରାୟ ୫୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଇଡି ଦାବି କରିଥିଲା । ଏହା ଏକ ତଦନ୍ତ ସାପେକ୍ଷ ବୋଲି କହିଥିଲା କେନ୍ଦ୍ରୀୟ ସଂସ୍ଥା ।