ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦୁଇଟି ଦିନିକିଆରୁ ଦୀପକ ଚହର ବାଦ୍, ୱାଶିଂଟନ୍ ସୁନ୍ଦର ସାମିଲ | News Room Odisha

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦୁଇଟି ଦିନିକିଆରୁ ଦୀପକ ଚହର ବାଦ୍, ୱାଶିଂଟନ୍ ସୁନ୍ଦର ସାମିଲ

ନୂଆଦିଲ୍ଲୀ: ପିଠି ଯନ୍ତ୍ରଣା ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚରୁ ପେସର୍ ଦୀପକ ଚହର ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ପିଠି ଯନ୍ତ୍ରଣା ଯୋଗୁଁ ଚହର ଲକ୍ଷ୍ନୌରେ ଅନୁଷ୍ଠିତ ପ୍ରଥମ ଦିନିକିଆ ଖେଳି ପାରିନଥିଲେ।

ଦୀପକ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)କୁ ଫେରିବେ । ସେଠାରେ ଡାକ୍ତରୀ ଦଳ ତାଙ୍କୁ ତଦାରଖ କରିବେ। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଭାରତ ୯ ରନରେ ହାରି ଯାଇଥିଲା | ରବିବାର ରାଞ୍ଚିରେ ଦ୍ୱିତୀୟ ଦିନିକିଆ ଖେଳାଯିବାକୁ ଥିବା ବେଳେ ତୃତୀୟ ତଥା ଅନ୍ତିମ ଦିନିକି ଅକ୍ଟୋବର ୧୧ରେ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ |

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅବଶିଷ୍ଟ ଦୁଇଟି ଦିନିକିଆ ପାଇଁ ଭାରତର ଦଳ: ଶିଖର ଧାୱନ (ଅଧିନାୟକ), ଋତୁରାଜ ଗାଏକୱାଡ, ଶୁଭମାନ ଗିଲ, ଶ୍ରେୟାସ ଆୟର (ଉପ-ଅଧିନାୟକ), ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶନ (ଓ୍ବିକେଟ୍ କିପର), ସଞ୍ଜୁ ସାମସନ (ଓ୍ବିକେଟ୍ କିପର), ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ଣୋଇ ମୁକେଶ କୁମାର, ଅବେଶ ଖାନ, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର।