ସିବିଆଇ, ଇଡି ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ଗୃହୀତ | News Room Odisha

ସିବିଆଇ, ଇଡି ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ଗୃହୀତ

କୋଲକାତା: ରାଜ୍ୟରେ କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର “ଅତ୍ୟଧିକ ସକ୍ରିୟତା” କୁ ବିରୋଧ କରି ପଶ୍ଚିମବଙ୍ଗ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି । ଏହି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ଭାବୁନାହିଁ ଯେ ପ୍ରଧାନମନ୍ତ୍ରୀ ମୋଦୀ ସିବିଆଇ, ଇଡିର ଦୁରୁପଯୋଗ କରୁଛନ୍ତି । କିନ୍ତୁ କିଛି ବିଜେପି ନେତା ନିଜ ସ୍ୱାର୍ଥ ପାଇଁ ଏଭଳି କରୁଛନ୍ତି। ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରୁଛି ଯେ ସରକାର ଏବଂ ଦଳର କାର୍ଯ୍ୟକୁ ଅଲଗା ରଖନ୍ତୁ, ଏହା ଦେଶ ପାଇଁ ଭଲ ହେବ ନାହିଁ।

ଏହି ପ୍ରସ୍ତାବ ନିୟମ ୧୬୯ ଅନୁଯାୟୀ ରାଜ୍ୟ ବିଧାନସଭାରେ ଉପସ୍ଥାପନା କରାଯାଇଥିଲା | ଯେଉଁ ସମୟରେ ଇଡି ଏବଂ ସିବିଆଇ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କ ବିରୋଧରେ କିଛି ହାଇ ପ୍ରୋଫାଇଲ ମାମଲାର ଯାଞ୍ଚ କରୁଛନ୍ତି ପଶ୍ଚିମବଙ୍ଗ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଗତ ଦୁଇ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ଅନେକ ଟିଏମସି ନେତାଙ୍କୁ ଗିରଫ କରାଯାଇଛି।

ଏହାପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ନିଲମ୍ବିତ ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଗିରଫ କରାଯାଇଥିଲା। ଏହା ପରେ ତୃଣମୂଳ ବୀରଭୂମ ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ପଶୁ ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିଲା। ପଶ୍ଚିମବଙ୍ଗ ବିଧାନସଭା ଦ୍ବାରା ଗୃହୀତ ପ୍ରସ୍ତାବରେ ଗତ ବର୍ଷ ସିବିଆଇ ଦ୍ୱାରା ତୃଣମୂଳ ବରିଷ୍ଠ ନେତା ଫିରହାଦ୍ ହାକିମ ଏବଂ ସୁବ୍ରତ ମୁଖାର୍ଜୀଙ୍କୁ ଗିରଫ କରାଯିବା ସମ୍ପର୍କରେ ଉଲ୍ଲେଖ ରହିଛି ।