ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ବିରୋଧରେ ସୁପ୍ରିମକୋର୍ଟ ଗଲେ ପଶ୍ଚିମବଙ୍ଗ ସରକାର | News Room Odisha

ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ବିରୋଧରେ ସୁପ୍ରିମକୋର୍ଟ ଗଲେ ପଶ୍ଚିମବଙ୍ଗ ସରକାର

କୋଲକାତା : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ନେଇ ହାଇକୋର୍ଟଙ୍କ ଆଦେଶ ବିରୋଧରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଶନିବାର ସୁପ୍ରିମକୋର୍ଟ ପହଞ୍ଚିଛନ୍ତି। ହାଇକୋର୍ଟଙ୍କ ଆଦେଶକୁ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କଲିକତା ହାଇକୋର୍ଟ ଜୁଲାଇ ୮ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରିବାକୁ ଗୁରୁବାର ରାଜ୍ୟ ନିର୍ବାଚନ ଆୟୋଗ (ଏସ୍ଇସି)କୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଧାନ ବିଚାରପତି ଟି.ଏସ୍ ଶିବଜ୍ଞାନମଙ୍କ ଅଧ୍ୟକ୍ଷତାରେ ହାଇକୋର୍ଟର ଖଣ୍ଡପୀଠ ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ ନିର୍ବାଚନ ପ୍ରକ୍ରିୟା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରିବାକୁ ଜୁନ୍ ୧୩ରେ ନିର୍ଦ୍ଦେଶ ଜାରି କରାଯାଇଥିଲା । କିନ୍ତୁ ଏହି ମାମଲାରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ବେଳେ ରାଜ୍ୟର ଅନେକ ସ୍ଥାନରେ ହିଂସା ଘଟିଛି । ଏହି ମାମଲାରେ ବିରୋଧୀ ଦଳର ଆବେଦନର ଶୁଣାଣି କରି ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗକୁ ରାଜ୍ୟର ସମସ୍ତ ଜିଲ୍ଲାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।