ୱେଷ୍ଟଇଣ୍ଡିଜ୍ ଖେଳାଳି ସୋଲୋଜାନୋଙ୍କ ମୁଣ୍ଡରେ ବଲ୍ ବାଜିଲା, ହସ୍ପିଟାଲରେ ଭର୍ତ୍ତି | News Room Odisha

ୱେଷ୍ଟଇଣ୍ଡିଜ୍ ଖେଳାଳି ସୋଲୋଜାନୋଙ୍କ ମୁଣ୍ଡରେ ବଲ୍ ବାଜିଲା, ହସ୍ପିଟାଲରେ ଭର୍ତ୍ତି

ଗଲ୍: ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ମଧ୍ୟରେ ରବିବାର ଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଡେବ୍ୟୁ କରିଥିବା ଖେଳାଳି ଜେରେମି ସୋଲୋଜାନୋଙ୍କ ମୁଣ୍ଡରେ ବଲ୍ ବାଜିବାରୁ ସେ ଆହତ ହୋଇଛନ୍ତି। ଆଘାତ ଏତେ ଭୟଙ୍କର ଥିଲା ଯେ ତାଙ୍କୁ ଏକ ଷ୍ଟ୍ରେଚରରେ ପଡ଼ିଆରୁ ନିଆଯାଇଥିଲା । ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ୨୬ ବର୍ଷୀୟ ସୋଲୋଜାନୋ ତାଙ୍କର ପ୍ରଥମ ମ୍ୟାଚ୍ ଖେଳୁଛନ୍ତି | ସୋଲୋଜାନୋ ଫରୱାର୍ଡ ସର୍ଟଲେଗରେ ଫିଲ୍ଡିଂ କରୁଥିବା ବେଳେ ଶ୍ରୀଲଙ୍କା ଅଧିନାୟକ ଦିମୁତ କରୁଣାରତ୍ନେଙ୍କ ଏକ ସଟ୍ ତାଙ୍କ ମୁଣ୍ଡରେ ବାଜିଥିଲା । ସଟ୍ ଏତେ ଶକ୍ତିଶାଳୀ ଥିଲା ଯେ ସୋଲୋଜାନୋ ପିନ୍ଧିଥିବା ହେଲମେଟର ପଛଭାଗର ଏକ ଅଂଶ ଭାଙ୍ଗି ଯାଇଥିଲା । ବଲ୍ ବାଜିବା ପରେ ସୋଲୋଜାନୋ ତଳେ ପଡ଼ିଯାଇଥିଲେ । ତୁରନ୍ତ ମେଡିକାଲ କର୍ମଚାରୀମାନେ ତାଙ୍କୁ ପଡ଼ିଆରୁ ନେଇ ଯାଇଥିଲେ |

ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଜର୍ମୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ଟୁଇଟ୍ କରିଛି। ତାଙ୍କର ସ୍କାନ କରାଯାଇଛି । ତାଙ୍କ ଆଘାତ ସେଭଳି ଗୁରୁତର ନୁହେଁ । ତେବେ ସେ ଗୋଟିଏ ଦିନ ହସ୍ପିଟାଲରେ ରହିବେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି ବୋଲି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ କହିଛି ।

ଏହି ଘଟଣା ୨୫ ତମ ଓଭରରେ ଘଟିଥିଲା ​​| ଶ୍ରୀଲଙ୍କାର ଅଧିନାୟକ କରୁଣାରତ୍ନେ ମଧ୍ୟ ସୋଲୋଜାନୋ ଆହତ ହେବା ପରେ ଛାନିଆ ହୋଇଯାଇଥିଲେ । ସେ ସଙ୍ଗେ ସଙ୍ଗେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ଶୀଘ୍ର ଡାକ୍ତରୀ କର୍ମଚାରୀଙ୍କୁ ଡାକିବାକୁ ମଧ୍ୟ ଇସାରା କରିଥିଲେ | ଏହି ପୁରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ପାଇଁ ୱେଷ୍ଟଇଣ୍ଡିଜ୍ ଶ୍ରୀଲଙ୍କାରେ ପହଞ୍ଚିଛି। ପ୍ରଥମ ମ୍ୟାଚ୍ ଗଲରେ ଖେଳାଯାଉଛି | ଟି-୨୦ ବିଶ୍ୱକପ ୨୦୨୧ରେ ଉଭୟ ଦଳର ପ୍ରଦର୍ଶନ ଖରାପ ଥିଲା | ଟେଷ୍ଟରେ ଭେଟେରାନ ଦିମୁଥ କରୁଣାତ୍ନେଙ୍କ ଶ୍ରୀଲଙ୍କାର ନେତୃତ୍ବ ନେଉଥିବା ବେଳେ କ୍ରେଗ ବ୍ରାଥଓ୍ବେଟ୍ ୱେଷ୍ଟଇଣ୍ଡିଜ୍ ଦଳର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ।