ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ଯଦି ଟାଇ ହୁଏ ତେବେ କ'ଣ ହେବ? ଜାଣନ୍ତୁ କ'ଣ ରହିଛି ନିୟମ | News Room Odisha

ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ଯଦି ଟାଇ ହୁଏ ତେବେ କ’ଣ ହେବ? ଜାଣନ୍ତୁ କ’ଣ ରହିଛି ନିୟମ

ଅହମ୍ମଦାବାଦ: ସୁପର ସଣ୍ଡେରେ ସୁପରହିଟ୍ ମୁକାବିଲା ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପ୍ରସ୍ତୁତ । ବିଶ୍ବକପ୍ ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଦୁଇଥର ଚାମ୍ପିୟନ୍ ଭାରତ ଓ ପାଞ୍ଚ ଥର ବିଜେତା ଅଷ୍ଟ୍ରେଲିଆ । ଭାରତ ଚଳିତ ବିଶ୍ୱକପରେ ଏଯାବତ୍ ଅପରାଜେୟ ରହିଥିବା ବେଳେ ଲିଗ୍ ପର୍ଯ୍ୟାୟରେ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା ଅଷ୍ଟ୍ରେଲିଆ। ଲଗାତାର ୮ଟି ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ ।

ଭାରତ ଓ ଅଷ୍ଟ୍ରେଲିଆ ୨୦ ବର୍ଷ ପରେ ଦିନିକିଆ ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହେଉଛନ୍ତି । ଉଭୟ ଦଳ ଶେଷଥର ୨୦୦୩ ବିଶ୍ବକପ୍ ଫାଇନାଲରେ ପରସ୍ପରକୁ ଭେଟିଥିଲେ । ଜୋହାନ୍ସବର୍ଗରେ ଖେଳାଯାଇଥିବା ସେହି ଫାଇନାଲରେ ଭାରତକୁ ୧୨୫ ରନରେ ହରାଇ ଟାଇଟଲ୍ ଜିତିଥିଲା ଅଷ୍ଟ୍ରେଲିଆ। ସେହି ପରାଜୟର ପ୍ରତିଶୋଧ ନେବାକୁ ଏବେ ଭାରତ ପାଖରେ ସୁଯୋଗ ରହିଛି। ଊଭୟ ଦଳ ମଧ୍ୟରେ ଏକ‌ ରୋମାଞ୍ଚକର ମୁକାବିଲା ଆଶା କରାଯାଉଛି ।

ରବିବାର ଫାଇନାଲ୍ ବେଳେ ବର୍ଷାର କୌଣସି ବିପଦ ନାହିଁ। କିନ୍ତୁ ଫାଇନାଲ ମ୍ୟାଚ୍ ଯଦି ଟାଇ ହୁଏ ତେବେ କ’ଣ ହେବ? ଇଂଲଣ୍ଡ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ୨୦୧୯ ବିଶ୍ବକପ୍ ଫାଇନାଲ୍ ଡବଲ୍ ଟାଇ (ସୁପର ଓଭର ବି ଟାଇ) ହୋଇଥିଲା। ତେବେ ବାଉଣ୍ଡରୀ କାଉଣ୍ଟ୍ ନିୟମ ଅନୁଯାୟୀ ଇଂଲଣ୍ଡକୁ ବିଜେତା ଘୋଷିତ କରାଯାଇଥିଲା। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

ଏଥର ଯଦି ଫାଇନାଲ ମ୍ୟାଚ୍ ଟାଇ ହୁଏ ତେବେ ବାଉଣ୍ଡରୀ କାଉଣ୍ଟ୍ ନିୟମ ଲାଗୁ ହେବ ନା ନୂଆ ନିୟମ ଆପଣାଯିବ? ଆସନ୍ତୁ ଜାଣିବା..

ଫାଇନାଲ୍ ପାଇଁ ଏକ ରିଜର୍ଭ ଦିନ ରଖାଯାଇଛି | ଯଦି ବର୍ଷା ବାଧକ ସାଜେ ତେବେ ମ୍ୟାଚ୍ ରିଜର୍ଭ ଦିନରେ ଖେଳାଯିବ। ଯଦି ରିଜର୍ଭ ଦିନ ମଧ୍ୟ ବର୍ଷାରେ ଧୋଇ ହୋଇଯାଏ ତେବେ ଉଭୟ ଦଳଙ୍କୁ ମିଳିତ ବିଜେତା ଘୋଷିତ କରାଯିବ ।

ଯଦି ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍ ଟାଇ ହୁଏ ତେବେ ସୁପର ଓଭର ହେବ | ଯଦି ସୁପର ଓଭର ବି ଟାଇ ହୁଏ ତେବେ ପୁଣି ଏକ ସୁପର ଓଭର କରାଯିବ | ଅର୍ଥାତ୍ ଫୁଟବଲରେ ପେନାଲ୍ଟି ସୁଟ୍ ଆଉଟ୍ ଭଳି ଗୋଟିଏ ଦଳ ବିଜେତା ନହେବା ପର୍ଯ୍ୟନ୍ତ ସୁପର ଓଭର ଜାରି ରହିବ | ୨୦୧୯ ବିଶ୍ବକପର ବିବାଦୀୟ ବାଉଣ୍ଡରୀ ନିୟମରୁ ଆଇସିସି ଶେଷରେ ଶିକ୍ଷା ଗ୍ରହଣ କରିଛି ।

ଏହାଛଡ଼ା ଯଦି କୌଣସି କାରଣରୁ ସୁପର ଓଭର ସମ୍ଭବ ନ ହେଉଛି ତେବେ ଉଭୟ ଦଳ ଯୁଗ୍ମ ବିଜେତା ହେବେ ।

୨୦୧୯ରେ ଇଂଲଣ୍ଡ ଦଳ ବାଉଣ୍ଡରୀ କାଉଣ୍ଟ୍ ନିୟମ ଅନୁଯାୟୀ ବିଶ୍ୱ ଚାମ୍ପିଅନ୍ ହୋଇଥିଲା | ତେବେ ଆଇସିସିର ଏହି ନିୟମକୁ ସେତେବେଳେ ତୀବ୍ର ସମାଲୋଚନା କରାଯାଇଥିଲା । ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡର ଫାଇନାଲ ମ୍ୟାଚ୍ ଟାଇ ହେବା ପରେ ସୁପର ଓଭର ହୋଇଥିଲା। ହେଲେ ସୁପର ଓଭର ମଧ୍ୟ ଟାଇ ହୋଇଥିଲା । ତେବେ ମ୍ୟାଚରେ ଅଧିକ ବାଉଣ୍ଡରୀ ମାରିଥିବାରୁ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା ।