ହ୍ବାଟସଆପ୍ ୟୁଜରଙ୍କ ପାଇଁ ଖୁସି ଖବର, ଏବେ ଷ୍ଟାଟସରେ ସେୟାର କରିପାରିବେ ଏଚଡି କ୍ବାଲିଟି ଫଟୋ ଓ ଭିଡିଓ | News Room Odisha

ହ୍ବାଟସଆପ୍ ୟୁଜରଙ୍କ ପାଇଁ ଖୁସି ଖବର, ଏବେ ଷ୍ଟାଟସରେ ସେୟାର କରିପାରିବେ ଏଚଡି କ୍ବାଲିଟି ଫଟୋ ଓ ଭିଡିଓ

ନୂଆଦିଲ୍ଲୀ: ଜୀବନର ସ୍ବତନ୍ତ୍ର ମୁହୂର୍ତ୍ତ ଗୁଡ଼ିକୁ ବନ୍ଧୁ ପରିଜନଙ୍କ ସହ ସେୟାର କରିବାର ଏକ ସହଜ ମାଧ୍ୟମ ହେଉଛି ହ୍ବାଟସଆପ୍ ଷ୍ଟାଟସ୍ । ତେବେ ହ୍ବାଟସଆପ୍ ଷ୍ଟାଟସ୍ ଅପଡେଟ୍ ବେଳେ ଫଟୋ ଏବଂ ଭିଡିଓର କ୍ବାଲିଟି ହ୍ରାସ ହେବା ଯୋଗୁଁ ଆପଣ ନିଶ୍ଚୟ ନିରାଶ ହୋଇଥିବେ । ହେଲେ ଏବେ ଆଉ ଏଭଳି ସମସ୍ୟା ହେବ ନାହିଁ । ଏବେ ହ୍ବାଟସଆପ୍ ଷ୍ଟାଟସରେ ଆପଣ ଏଚଡି କ୍ବାଲିଟି ଫଟୋ ଓ ଭିଡ଼ିଓ ସେୟାର କରିପାରିବେ । ଏଥିପାଇଁ ହ୍ବାଟସଆପ୍ ନିଜ ୟୁଜରଙ୍କ ପାଇଁ ଏକ ନୂଆ ଫିଚର୍ ଆଣିବାକୁ ଯାଉଛି।

ଏକ ନୂଆ ଅପସନ୍ ମାଧ୍ୟମରେ ବର୍ତ୍ତମାନ ହ୍ବାଟସଆପ୍ ଷ୍ଟାଟସରେ ଫଟୋ ଏବଂ ଭିଡିଓର କ୍ବାଲିଟି ବଜାୟ ରଖାଯାଇପାରିବ ।

ହ୍ବାଟସଆପ୍ ଷ୍ଟାଟସ୍ ଅପଡେଟ୍ ବେଳେ ଫଟୋ/ଭିଡ଼ିଓର କ୍ବାଲିଟି ହ୍ରାସ ସମ୍ପର୍କରେ ୟୁଜରମାନେ ଅନେକ ଥର କମ୍ପାନୀକୁ ଅଭିଯୋଗ କରିଆସିଛନ୍ତି। ତେବେ ଏଚଡି କ୍ବାଲିଟି ଫଟୋ ଓ ଭିଡ଼ିଓ ସେୟାର କରିବା ସୁବିଧା ଏବେ କିଛି ୟୁଜରଙ୍କ ପାଇଁ ଉପଲବ୍ଧ ହୋଇସାରିଛି।

ଆପଣ ଯଦି ଏଚଡି କ୍ବାଲିଟି ଫଟୋ ଓ ଭିଡ଼ିଓ ଷ୍ଟାଟସରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ‘ଏଚଡି’ ଅପସନ୍ କୁ ଟ୍ୟାପ୍ କରିବାକୁ ପଡ଼ିବ । ଏହି ଅପସନ୍ ଷ୍ଟାଟସ୍ ସ୍କ୍ରିନ୍ ର ଉପରେ ଦେଖାଯିବ ।

ଏହି ଅପସନକୁ ଟ୍ୟାପ୍ କରି ଷ୍ଟାଟସ୍ ଅପଡେଟ୍ ହେବା ପରେ ଫଟୋ ଏବଂ ଭିଡ଼ିଓ ଏଚଡି କ୍ବାଲିଟିରେ ଦେଖାଯାଇପାରିବ |

ହ୍ବାଟସଆପ୍ ଏବେ ଏହି ଫିଚର୍ ଉପରେ କାମ କରୁଛି | ଏହି ନୂଆ ଅପଡେଟ୍ ହ୍ବାଟସଆପ୍ ଆଣ୍ଡ୍ରଏଡ୍ ବିଟା ଭର୍ସନ ୨.୨୩.୨୬.୩ରେ ଦେଖିବାକୁ ମିଳୁଛି | ଏହି ଫିଚର୍ ବିଟା ଟେଷ୍ଟର ମାନେ ବ୍ୟବହାର କରିପାରିବେ | ହ୍ବାଟସଆପର ଅନ୍ୟ ୟୁଜରଙ୍କ ପାଇଁ ନୂଆ ଅପଡେଟ୍ ଖୁବ୍ ଶୀଘ୍ର ଉପଲବ୍ଧ ହେବ ବୋଲି ଆଶା କରାଯାଉଛି |