କୋଭିଡ-୧୯ ସ୍ଥିତି ସମ୍ପର୍କରେ ରିୟଲ ଟାଇମ୍ ଡାଟା ଦେବାକୁ ଚୀନକୁ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ | News Room Odisha

କୋଭିଡ-୧୯ ସ୍ଥିତି ସମ୍ପର୍କରେ ରିୟଲ ଟାଇମ୍ ଡାଟା ଦେବାକୁ ଚୀନକୁ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା: କୋଭିଡ-୧୯ ସ୍ଥିତି ସମ୍ପର୍କରେ ରିୟଲ ଟାଇମ୍ ଡାଟା ସେୟାର କରିବାକୁ ଚୀନକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଚୀନରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇଥିବା ବେଳେ ଡବ୍ଲୁଏଚ୍ଓ ଏଭଳି ପରାମର୍ଶ ଦେଇଛି ।

ଗତ କିଛି ସପ୍ତାହ ମଧ୍ୟରେ ଚୀନରେ ଅନେକ କଠୋର କଟକଣା ହଟାଇ ଦିଆଯାଇଛି। ଏହା ପରେ ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ବହୁ ଦେଶ ସମ୍ପ୍ରତି ଚୀନରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ଆରମ୍ଭ କରିଛନ୍ତି ।

ଜଣେ ଡବ୍ଲୁଏଚ୍ଓ ଅଧିକାରୀ କହିଛନ୍ତି ଯେ ହସ୍ପିଟାଲ ଏବଂ ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମୃତ୍ୟୁ ବିଷୟରେ ସେମାନଙ୍କୁ ଅଧିକ ତଥ୍ୟ ଆବଶ୍ୟକ। ଏହା ବ୍ୟତୀତ ସଂଗଠନ ଟିକାକରଣ ସହ ଜଡିତ ତଥ୍ୟ ମଧ୍ୟ ଲୋଡିଛି।

ଆମେରିକା, ସ୍ପେନ୍, ଫ୍ରାନ୍ସ, ଦକ୍ଷିଣ କୋରିଆ, ଭାରତ, ଇଟାଲୀ, ଜାପାନ ଏବଂ ତାଇୱାନ ଭଳି ଦେଶମାନେ କୋଭିଡ଼-୧୯ର ଲେଉଟାଣି ଦୃଷ୍ଟିରୁ ଚୀନ୍‌ରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି।

ଅନ୍ୟପକ୍ଷରେ ବ୍ରିଟେନ ଚୀନ୍‌ରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଫ୍ଲାଇଟରେ ଚଢ଼ିବା ପୂର୍ବରୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ନିୟମ କରିଛି।

ଚୀନର ଅଧିକାରୀଙ୍କ ସହ ଆଲୋଚନା ପରେ ପ୍ରକାଶିତ ଏକ ବିବୃତ୍ତିରେ ଡବ୍ଲୁଏଚ୍ଓ କହିଛି ଯେ ସମ୍ପ୍ରତି ସଂକ୍ରମଣ ସହ ଜଡ଼ିତ ନିୟମିତ ଏବଂ ରିୟଲ ଟାଇମ୍ ଡାଟା ସେୟାର କରିବାକୁ ଦାବି କରାଯାଇଛି। ଏହା ସହିତ ଚୀନରୁ ଟିକାକରଣ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଲୋଡ଼ାଯାଇଛି।