ଟିକାକରଣରେ ଭାରତର ରେକର୍ଡ: ଦିନକରେ ଦିଆଗଲା କୋଟିଏ ଡୋଜ୍‌, ହୁ’ ଓ ବିଲ୍ ଗେଟ୍ସଙ୍କ ପ୍ରଶଂସା | News Room Odisha

ଟିକାକରଣରେ ଭାରତର ରେକର୍ଡ: ଦିନକରେ ଦିଆଗଲା କୋଟିଏ ଡୋଜ୍‌, ହୁ’ ଓ ବିଲ୍ ଗେଟ୍ସଙ୍କ ପ୍ରଶଂସା

ନୂଆଦିଲ୍ଲୀ: କରୋନା ବିରୋଧୀ ଟିକାକରଣରେ ଭାରତ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି । ଗତ ୨୪ ଘଣ୍ଟାରେ ଭାରତରେ ଏକ କୋଟି ଟିକା ଡୋଜ୍ ଦିଆଯାଇଛି । ଏଥିସହ ଦେଶରେ ୬୨ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ଟିକାକରଣ କରିସାରିଛି ଭାରତ । ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଲୋକଙ୍କ ଟିକାକରଣ ସମ୍ପନ୍ନ ହୋଇଛି । ଦିନକରେ କୋଟିଏ ଲୋକଙ୍କୁ ଟିକାକରଣ ପାଇଁ ଭାରତକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ ଭାରତର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି । ସ୍ୱାମୀନାଥନ୍ କହିଛନ୍ତି ଯେ, ଭାରତ ନିଜ ଜନସଂଖ୍ୟାର ୫୦% ଲୋକଙ୍କ ଟିକାକରଣ କରିସାରିଛି । ଦିନକରେ କୋଟିଏ ଡୋଜ୍ ଦିଆଯାଇଛି । ଏହି କାର୍ଯ୍ୟରେ ନିୟୋଜିତ ଥିବା ସବୁ ସ୍ୱାସ୍ଥ୍ୟକର୍ମୀ ଓ ଲୋକଙ୍କୁ ଅଭିନନ୍ଦନ । ଟିକାକରଣ ସହ ସରକାରୀ ଓ ବ୍ୟକ୍ତିଗତ ସ୍ତରରେ ପ୍ରତିଷେଧକ ପଦକ୍ଷେପ ସମସ୍ତଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବ ବୋଲି ସ୍ୱାମୀନାଥନ କହିଛନ୍ତି ।

ସେହିପରି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ମଧ୍ୟ ଭାରତର ଟିକାକରଣ ମାଇଲଖୁଣ୍ଟକୁ ପ୍ରଶଂସା କରିଛନ୍ତି। ବିଲ୍ ଗେଟ୍ସ ଟ୍ୱିଟ୍ କରି କହିଛନ୍ତି, ଭାରତକୁ ଅଭିନନ୍ଦନ । ଭାରତ ସରକାର, ଡାକ୍ତର, ବିଶେଷଜ୍ଞ ଓ ଟିକା ନିର୍ମାତାଙ୍କ ଯୋଗୁଁ ଏହା ସମ୍ଭବ ହୋଇଛି ।

ଭାରତରେ ଶୁକ୍ରବାର ପ୍ରାୟ କୋଟିଏ ଲୋକଙ୍କୁ ଟିକା ଡୋଜ୍ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ବୋଲି କହିଛନ୍ତି । ଏହି ସଫଳତା ପାଇଁ ସେ ଟିକା ନେଇଥିବା ଲୋକ ଓ ଟିକାକରଣ ଅଭିଯାନରେ ସାମିଲ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।