ଭାରତରେ ୪୭ ଲକ୍ଷ କରୋନା ମୃତ୍ୟୁ ! 'ହୁ'ର ଦାବି ନେଇ ପ୍ରଶ୍ନ ଉଠାଇଲେ ଭରତ ସରକାର | News Room Odisha

ଭାରତରେ ୪୭ ଲକ୍ଷ କରୋନା ମୃତ୍ୟୁ ! ‘ହୁ’ର ଦାବି ନେଇ ପ୍ରଶ୍ନ ଉଠାଇଲେ ଭରତ ସରକାର

ନୂଆଦିଲ୍ଲୀ: କୋଭିଡ୍ ମୃତ୍ୟୁ ସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ) ର ସଦ୍ୟତମ ରିପୋର୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି । ‘ହୁ’ର ଏହି ରିପୋର୍ଟରେ ଦାବି କରାଯାଇଛି ଯେ ଜାନୁଆରୀ ୨୦୨୦ ରୁ ଡିସେମ୍ବର ୨୦୨୧ ମଧ୍ୟରେ ଭାରତରେ କରୋନା ଯୋଗୁଁ ୪୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି। ସରକାରୀ ଭାବେ ଦର୍ଶାଯାଇଥିବା ସଂଖ୍ୟା ତୁଳନାରେ ଏହି ସଂଖ୍ୟା ପ୍ରାୟ ୧୦ ଗୁଣ ଅଧିକ | ତେବେ ‘ହୁ’ର ଏପରି ଦାବି ଉପରେ ଭାରତ ସରକାର ଆପତ୍ତି ଉଠାଇଛନ୍ତି।

‘ହୁ’ର ଆକଳନ ଅନୁଯାୟୀ କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ସୁଦ୍ଧା ବିଶ୍ବରେ ପ୍ରାୟ ଦେଢ଼ କୋଟି ଲୋକ ପ୍ରାଣ ହରାଇଛନ୍ତି। ଦୁଇ ବର୍ଷ ମଧ୍ୟରେ କୋଭିଡ୍ ମୃତ୍ୟୁ ଅପେକ୍ଷା ଏହି ସଂଖ୍ୟା ୧୩ ପ୍ରତିଶତ ଅଧିକ |

ଭାରତ ସମେତ ଅନେକ ଦେଶ କୋଭିଡ୍ ମୃତ୍ୟୁ ସଂଖ୍ୟା ଲୁଚାଇଛନ୍ତି। ସରକାରୀ ଭାବେ କେବଳ ୫୪ ଲକ୍ଷ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି ବୋଲି ‘ହୁ’ କହିଛି।

‘ହୁ’ ରିପୋର୍ଟରେ ଭାରତରେ ଯେଉଁ ମୃତ୍ୟୁ ସଂଖ୍ୟା ଦର୍ଶାଯାଇଛି ତାହା ବିଶ୍ବବ୍ୟାପୀ ମୃତ୍ୟୁହାରର ଏକ ତୃତୀୟାଂଶ।

କିନ୍ତୁ ‘ହୁ’ ର ମୂଲ୍ୟାଙ୍କନ ପଦ୍ଧତି ଉପରେ ଭାରତ ସରକାର ପ୍ରଶ୍ନ ଉଠାଇଛନ୍ତି | ‘ହୁ’ ର ଗାଣିତିକ ମଡେଲର ବୈଧତା ନେଇ ମଧ୍ୟ ଭାରତ ସରକାର ପ୍ରଶ୍ନ କରିଛନ୍ତି। ‘ହୁ’ ର ଏହି ମଡେଲ ତ୍ରୁଟିପୂର୍ଣ୍ଣ ବୋଲି ଭାରତ କହିଛି । ଏହି ପ୍ରକ୍ରିୟା, ପଦ୍ଧତି ଏବଂ ପରିଣାମ ନେଇ ଭାରତର ଆପତ୍ତି ସତ୍ତ୍ୱେ ‘ହୁ’ ଅତିରିକ୍ତ ମୃତ୍ୟୁ ହାରର ଆକଳନ ଜାରି କରିଛି ବୋଲି ଭାରତ ସରକାର ଏକ ବିବୃତ୍ତିରେ କହିଛନ୍ତି।

ତେବେ କୋଭିଡ୍ ମୃତ୍ୟୁ ମାମଲାରେ ଅନ୍ୟାନ୍ୟ ଅଧ୍ୟୟନରେ ମଧ୍ୟ ଭାରତ କ୍ଷେତ୍ରରେ ସମାନ ଆକଳନ କରାଯାଇଛି |

ଭାରତର ସରକାରୀ ଆକଳନ ଅନୁଯାୟୀ, ଦେଶରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ହେଉଛି ୫,୨୩,୯୭୫ | ଭାରତରେ ଅଧିକାଂଶ ମୃତ୍ୟୁ ଡେଲ୍ଟା ଭାରିଆଣ୍ଟ ଜନିତ ଦ୍ୱିତୀୟ ଲହର ସମୟରେ ଘଟିଥିଲା ।