ମନ୍ତ୍ରୀ ହେବା ପରେ ଶରଦ ପାୱାରଙ୍କ ଘରକୁ କାହିଁକି ଯାଇଥିଲେ ଅଜିତ ? | News Room Odisha

ମନ୍ତ୍ରୀ ହେବା ପରେ ଶରଦ ପାୱାରଙ୍କ ଘରକୁ କାହିଁକି ଯାଇଥିଲେ ଅଜିତ ?

ମୁମ୍ବାଇ: ସିନ୍ଦେ ସରକାରରେ ଅର୍ଥମନ୍ତ୍ରୀ ହେବା ପରେ ଅଜିତ ପାୱାର ଶୁକ୍ରବାର ରାତିରେ ହଠାତ୍ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନକୁ ଯାଇ ଭେଟିଥିଲେ। ଏନସିପିରେ ବିଦ୍ରୋହ ମଧ୍ୟରେ ଦାଦା-ପୁତୁରାଙ୍କ ଅଚାନକ ଏଭଳି ଭେଟ ମହାରାଷ୍ଟ୍ରର ରାଜନୀତିକୁ ଆହୁରି ସରଗରମ କରିଦେଇଛି | ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତର ପ୍ରକୃତ କାରଣ ମଧ୍ୟ ସାମ୍ନାକୁ ଆସିଛି।

ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶୁକ୍ରବାର ଶରଦ ପାୱାରଙ୍କ ପତ୍ନୀ ପ୍ରତିଭା ପାୱାରଙ୍କ ହାତରେ ଅପରେସନ୍ ହୋଇଥିଲା । ଅପରେସନ ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ଅଜିତ ପାଓ୍ବାର କେବଳ ତାଙ୍କ ଖୁଡ଼ିଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବାକୁ ଶରଦ ପାଓ୍ବାରଙ୍କ ଘରକୁ ଯାଇଥିଲେ । ଏହା ସମ୍ଭବ ଯେ ସେଠାରେ ସେ ଶରଦ ପାୱାରଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିବେ । ଉଭୟଙ୍କ ମଧ୍ୟରେ ସାକ୍ଷାତ ନିଶ୍ଚିତ ଭାବେ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଥିବ । କିନ୍ତୁ ଅଜିତ ଗୋଷ୍ଠୀ ଏହାକୁ କେବଳ ଏକ ସୌଜନ୍ୟମୂଳକ ବୋଲି କହୁଛନ୍ତି ।

ଏନସିପିକୁ ଦୁଇ ଫାଳ କରି ଜୁଲାଇ ୨ରେ ସିନ୍ଦେ ସରକାରରେ ନିଜ ସମର୍ଥକଙ୍କ ସହ ମିଶିବା ପରଠୁ ଅଜିତ ପାଓ୍ବାର ପ୍ରଥମ ଥର ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସିନ୍ଦେ ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଥିଲା। ଅଜିତ ପାୱାରଙ୍କୁ ଅର୍ଥ ମନ୍ତ୍ରଣାଳୟ ଦିଆଯାଇଥିଲା । ଏହି ମନ୍ତ୍ରଣାଳୟକୁ ସିନ୍ଦେ ଗୋଷ୍ଠୀର କିଛି ବିଧାୟକ ମଧ୍ୟ ଚାହୁଁଥିଲେ । ଅଜିତ ମହାବିକାଶ ଅଘାଡି ସରକାରରେ ମଧ୍ୟ ଅର୍ଥମନ୍ତ୍ରୀ ଥିଲେ। ହେଲେ ସେତେବେଳେ ଶିବସେନାର କିଛି ବିଧାୟକ ପାଣ୍ଠି ଠିକ୍ ସମୟରେ ମିଳୁନଥିବା ଅଭିଯୋଗ କରିଥିଲେ । ଏହି କାରଣରୁ ଉଦ୍ଧବ ଠାକରେଙ୍କ ସହ ସେମାନଙ୍କ ସମ୍ପର୍କ ଖରାପ ହୋଇଥିଲା। ଏହି ଯୁକ୍ତି ଆଧାରରେ ଅଜିତଙ୍କୁ ସିନ୍ଦେ ସରକାରରେ ଅର୍ଥ ମନ୍ତ୍ରଣାଳୟ ନ ଦେବାକୁ ଦାବି ହୋଇଥିଲା । କିନ୍ତୁ ଏହା ରାଜନୈତିକ ଚାପ କିମ୍ବା ଅନ୍ୟ କିଛି କାରଣ ହୋଇଥାଉ ନା କାହିଁକି, ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ଦାବି ଗ୍ରହଣ ନ କରାଯିବା ମୁଖ୍ୟମନ୍ତ୍ରୀ ଲୋକନାଥ ସିନ୍ଦେଙ୍କ ପ୍ରଭାବ କମୁଥିବାର ସଙ୍କେତ ବୋଲି ଚର୍ଚ୍ଚା ହେଉଛି ।