ଦେଶରୁ ମୌସୁମୀ ଅପସାରଣ ଆରମ୍ଭ | News Room Odisha

ଦେଶରୁ ମୌସୁମୀ ଅପସାରଣ ଆରମ୍ଭ

ନୂଆଦିଲ୍ଲୀ: ଦେଶରୁ ବିଦାୟ ନେବା ଆରମ୍ଭ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଅନୁଯାୟୀ ନିର୍ଦ୍ଧାରିତ ତାରିଖର ୮ ଦିନ ବିଳମ୍ବରେ ମୌସୁମୀର ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଆଇଏମଡି ଏକ ବିବୃତ୍ତିରେ କହିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ଦକ୍ଷିଣ-ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଫେରିବା ଆରମ୍ଭ କରିଛି। ସାଧାରଣତଃ ସେପ୍ଟେମ୍ବର ୧୭ରେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନରୁ ମୌସୁମୀ ଫେରିବା ଆରମ୍ଭ କରିଥାଏ |

କ୍ରମାଗତ ୧୩ ବର୍ଷ ଧରି ମୌସୁମୀ ସ୍ବାଭାବିକ ସମୟ ଠାରୁ ବିଳମ୍ବରେ ଫେରିଛି ।

ଉତ୍ତର ପଶ୍ଚିମ ଭାରତରୁ ମୌସୁମୀ ଅପସାରଣ ଅର୍ଥ ଏହା ସମଗ୍ର ଭାରତୀୟ ଉପମହାଦେଶରୁ ଫେରିବା ଆରମ୍ଭ କରିଛି । ମୌସୁମୀ ପ୍ରତ୍ୟାହାରରେ ବିଳମ୍ବ ଦୀର୍ଘ ବର୍ଷା ଋତୁର ସଙ୍କେତ ବୋଲି ଧରାଯିବ। ଏହା ମଧ୍ୟ ଚାଷବାସ ଦୃଷ୍ଟିରୁ ଭଲ । ବିଶେଷ କରି ଉତ୍ତର-ପଶ୍ଚିମ ଭାରତରେ, ଯେଉଁଠାରେ ବର୍ଷା ରବି ଫସଲ ଉତ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୧ରେ କେରଳ ଛୁଇଁବା ପରେ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ପହଞ୍ଚିଥାଏ | ମୌସୁମୀ ଉତ୍ତର ପଶ୍ଚିମ ଭାରତରୁ ପ୍ରାୟ ୧୭ ସେପ୍ଟେମ୍ବରରୁ ଫେରିବା ଆରମ୍ଭ କରେ ଏବଂ ୧୫ ଅକ୍ଟୋବର ସୁଦ୍ଧା ସମଗ୍ର ଦେଶରୁ ଅପସାରିତ ହୋଇଯାଏ |

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଭାରତରେ ୭୯୬.୪ ମିଲିମିଟର ବର୍ଷା ହୋଇଛି । ସ୍ବାଭାବିକ ଭାବେ ମୌସୁମୀ ସକ୍ରିୟ ସମୟରେ ୮୪୩.୨ ମିଲିମିଟର ବର୍ଷା ହୋଇଥାଏ । ଅର୍ଥାତ୍ ଏଥର ସ୍ବାଭାବିକ ଠାରୁ ୬ ପ୍ରତିଶତ କମ୍ ବର୍ଷା ହୋଇଛି । ଦୀର୍ଘ ଅବଧି ହାରାହାରି (ଏଲପିଏ)ର ୯୪ ପ୍ରତିଶତରୁ ୧୦୬ ପ୍ରତିଶତ ମଧ୍ୟରେ ବୃଷ୍ଟିପାତ ସ୍ୱାଭାବିକ ବୋଲି ଧରାଯାଏ |

ସାଧାରଣତଃ ମୌସୁମୀ ସକ୍ରିୟ ସମୟରେ ଚାରି ମାସ (ଜୁନ୍ ରୁ ସେପ୍ଟେମ୍ବର) ମଧ୍ୟରେ ଦେଶରେ ହାରାହାରି ୮୭୦ ମିଲିମିଟର ବର୍ଷା ହୋଇଥାଏ |