ଉତ୍ତର ପ୍ରଦେଶରେ କଂଝାୱାଲା ଭଳି ଘଟଣା, ମହିଳାଙ୍କୁ ୩ କିଲୋମିଟର ଘୋଷାଡି ନେଲା ଟ୍ରକ୍ | News Room Odisha

ଉତ୍ତର ପ୍ରଦେଶରେ କଂଝାୱାଲା ଭଳି ଘଟଣା, ମହିଳାଙ୍କୁ ୩ କିଲୋମିଟର ଘୋଷାଡି ନେଲା ଟ୍ରକ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାନ୍ଦାରେ ଦିଲ୍ଲୀର କଂଝାୱାଲା ପରି ଏକ ଘଟଣା ସାମ୍ନାକୁ ଆସିଛି । ଏକ ଗୋଡ଼ି ବୋଝେଇ ଟ୍ରକ ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କୁ ଧକ୍କା ଦେବା ପରେ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଛି । ଏହି ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଛି | ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ ଏକ ମାମଲା ରୁଜୁ କରି ପ୍ରତ୍ୟେକ ଦିଗରୁ ଏହି ଘଟଣାର ଯାଞ୍ଚ୍ କରୁଛି ।

ମହିଳାଙ୍କ ସହ ସ୍କୁଟି ମଧ୍ୟ ଟ୍ରକ ଚକରେ ଫସି ରହି ଘୋଷାଡି ହେବା ଯୋଗୁଁ ଟ୍ରକରେ ନିଆଁ ଲାଗି ଯାଇଥିଲା । ​​ସୂଚନା ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଟ୍ରକ୍ ନିଆଁ ଲିଭାଇଥିଲା। ଅନ୍ୟପକ୍ଷରେ ଟ୍ରକ୍ ଡ୍ରାଇଭର ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଖସି ପଳାଇଥିଲା ।‌ ପରେ କିନ୍ତୁ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା। ମୃତ ମହିଳା ଲକ୍ଷ୍ନୌ ନିବାସୀ ଥିଲେ ବୋଲି ଜଣାପଡ଼ିଛି । ସେ ବାନ୍ଦା କୃଷି ବିଶ୍ୱବିଦ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ଥିଲେ ।

ନୂଆବର୍ଷ ଦିନ ବିଳମ୍ବିତ ରାତିରେ ଦିଲ୍ଲୀର କଂଝାୱାଲାରେ ଏକ ହୃଦୟ ବିଦାରକ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ସ୍କୁଟିକୁ ଧକ୍କା ଦେବା ପରେ ସ୍କୁଟି ଚାଳକ ଯୁବତୀଙ୍କୁ ଏକ କାର୍ ୧୨ କିଲୋମିଟର ଯାଏ ଘୋଷାଡି ନେଇଥିଲା।