ନୂଆଦିଲ୍ଲୀ: ସଂସଦରେ ଏବଂ ଦେଶର ଅଧିକାଂଶ ରାଜ୍ୟ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୧୫ ପ୍ରତିଶତରୁ କମ୍ ରହିଛି । ୧୯ଟି ରାଜ୍ୟରେ ୧୦ ପ୍ରତିଶତରୁ କମ୍ ମହିଳା ବିଧାୟକ ଅଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ କେବଳ ବିହାର (୧୦.୭୦), ଛତିଶଗଡ (୧୪.୪୪), ହରିୟାଣା (୧୦), ଝାଡ଼ଖଣ୍ଡ (୧୨.୩୫), ପଞ୍ଜାବ (୧୧.୧୧), ରାଜସ୍ଥାନ (୧୨), ଉତ୍ତରାଖଣ୍ଡ (୧୧.୪୩), ଉତ୍ତର ପ୍ରଦେଶ (୧୧.୬୬), ପଶ୍ଚିମବଙ୍ଗ (୧୩.୭୦) ଏବଂ ଦିଲ୍ଲୀ (୧୧.୪୩)ରେ ୧୦ ପ୍ରତିଶତରୁ ଅଧିକ ମହିଳା ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ ସମଗ୍ର ଦେଶରେ ବିଧାନସଭାରେ ମହିଳା ପ୍ରତିନିଧିତ୍ଵର ହାରାହାରି ସଂଖ୍ୟା ମାତ୍ର ୮ ପ୍ରତିଶତ।
ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଡିସେମ୍ବର ୯ରେ ଲୋକସଭାରେ ଦେଇଥିବା ତଥ୍ୟ ଅନୁଯାୟୀ ଆନ୍ଧ୍ରପ୍ରଦେଶ, ଆସାମ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ଓଡିଶା, ସିକ୍କିମ, ତାମିଲନାଡୁ ଏବଂ ତେଲେଙ୍ଗାନାରେ ୧୦ ପ୍ରତିଶତରୁ ବି କମ୍ ମହିଳା ବିଧାୟକ ଅଛନ୍ତି। ନିକଟରେ ଅନୁଷ୍ଠିତ ଗୁଜରାଟ ବିଧାନସଭା ନିର୍ବାଚନରେ କେବଳ ୮.୨ ପ୍ରତିଶତ ମହିଳା ବିଧାୟକ ହୋଇଥିବା ବେଳ ହିମାଚଳ ପ୍ରଦେଶରେ ଏଥର କେବଳ ଜଣେ ମହିଳା ବିଧାୟକ ନିର୍ବାଚିତ ହୋଇଛନ୍ତି । ତଥ୍ୟ ଅନୁଯାୟୀ, ଲୋକସଭା ଓ ରାଜ୍ୟସଭାରେ ମହିଳା ସାଂସଦଙ୍କ ସଂଖ୍ୟା ଯଥାକ୍ରମେ ୧୪.୯୪ ପ୍ରତିଶତ ଏବଂ ୧୪.୦୫ ପ୍ରତିଶତ ରହିଛି।
ସୂଚନାଯୋଗ୍ୟ, ନିକଟରେ ବିଜୁ ଜନତା ଦଳ, ଶିରୋମାନି ଅକାଳୀ ଦଳ, ଜେଡି (ୟୁ) ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ସଂସଦରେ ମହିଳା ସଂରକ୍ଷଣ ବିଲ୍ ପୁଣି ଆଗତ କରିବା ସହ ପାଳିତ କରିବାକୁ ଦାବି କରିଛନ୍ତି । ଲୋକସଭାରେ ଏକ ତୃତୀୟାଂଶ ଆସନ ଏବଂ ମହିଳାଙ୍କ ପାଇଁ ରାଜ୍ୟ ବିଧାନସଭା ସଂରକ୍ଷଣ ପାଇଁ ଏକ ବିଲ୍ ପ୍ରଥମେ ୧୯୯୬ରେ ସଂସଦରେ ଆଗତ କରାଯାଇଥିଲା। ଏହା ୨୦୧୦ରେ ରାଜ୍ୟସଭାରେ ପାରିତ ହୋଇଥିଲା, କିନ୍ତୁ ୧୫ ତମ ଲୋକସଭା ଭଙ୍ଗ ହେବା ପରେ ଏହି ବିଲ୍ ଲାପ୍ସ ହୋଇଯାଇଥିଲା।