ଆଜି ଉଦ୍ଧାର ହୋଇପାରନ୍ତି ଟନେଲରେ ଫସିଥିବା ୪୧ ଶ୍ରମିକ | News Room Odisha

ଆଜି ଉଦ୍ଧାର ହୋଇପାରନ୍ତି ଟନେଲରେ ଫସିଥିବା ୪୧ ଶ୍ରମିକ

ଉତ୍ତରକାଶୀ: ଗତ ୧୧ ଦିନ ଧରି ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକ ଆଜି ଉଦ୍ଧାର ହୋଇପାରନ୍ତି।

ବୁଧବାର ରାତି ସାରା ଡ୍ରିଲିଂ ପରେ ଜୋଜିଲା ଟନେଲର ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି, ଆଜି ଯେକୌଣସି ସମୟରେ ଶ୍ରମିକଙ୍କୁ ବାହାର କରାଯାଇପାରେ।

ପ୍ରକଳ୍ପ ଇନଚାର୍ଜ ହଦପାଲ ସିଂଙ୍କ ସୂଚନା ଅନୁଯାୟୀ, ଏଯାବତ୍ ୪୪ ମିଟର ଯାଏଁ ୮୦୦ ଏମ୍ଏମ୍ ପାଇପ୍ ଟନେଲ୍ ଭିତରକୁ ପୂରାଯାଇଛି । ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ଆଉ କେବଳ ୧୨ ମିଟର ଖୋଳାଯିବ ।

ସେ କହିଛନ୍ତି, ଯେତେବେଳେ ଆଗକୁ ଡ୍ରିଲିଂ କରାଯାଇଥିଲା, କିଛି ବଡ଼ ଷ୍ଟିଲ୍ ରଡ୍ ସାମ୍ନାକୁ ଆସିଯାଇଥିଲା | ଏଗୁଡ଼ିକୁ ଡ୍ରିଲିଂ ମେସିନ୍ କାଟି ପାରିନଥିଲା । ତେଣୁ ଡ୍ରିଲିଂ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା ଓ ମେସିନକୁ ବାହାର କରିବାକୁ ପଡ଼ିଥିଲା ।

ବର୍ତ୍ତମାନ ଏନଡିଆରଏଫ୍ କର୍ମଚାରୀମାନେ ସେହି ପାଇପ୍ ଭିତରକୁ ଯାଇ ଷ୍ଟିଲ୍ ରଡ୍ ଗୁଡ଼ିକୁ କାଟିବେ। ଏହାପରେ ଡ୍ରିଲିଂ ପୁଣି ଆରମ୍ଭ ହେବ ।

ଫସିଥିବା ଶ୍ରମିକ ଯେକୌଣସି ସମୟରେ ଉଦ୍ଧାର ହେବାକୁ ଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ୍ ସହ ଆବଶ୍ୟକୀୟ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଚିନ୍ୟାଲିସୌର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪୧ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ଓ୍ବାର୍ଡ ପ୍ରସ୍ତୁତ କରାଯାଇଛି । ଟଣାସ୍ଥଳରେ ୪୧ ଆମ୍ବୁଲାନ୍ସକୁ ବି ମୁତୟନ କରାଯାଇଛି।

ନଭେମ୍ବର ୧୨ରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ୪.୫ କିଲୋମିଟର ଲମ୍ବା ଟନେଲ ଭୁଶୁଡ଼ିବା କାରଣରୁ ୪୧ ଶ୍ରମିକ ଭିତରେ ଫସି ରହିଛନ୍ତି।