ରେସଲରଙ୍କୁ ଦିଲ୍ଲୀ ପୋଲିସ ମାରପିଟ୍ କରିଥିବା ଅଭିଯୋଗ, ଜଣେ ଖେଳାଳିଙ୍କ ମୁଣ୍ଡ ଫାଟିଲା | News Room Odisha

ରେସଲରଙ୍କୁ ଦିଲ୍ଲୀ ପୋଲିସ ମାରପିଟ୍ କରିଥିବା ଅଭିଯୋଗ, ଜଣେ ଖେଳାଳିଙ୍କ ମୁଣ୍ଡ ଫାଟିଲା

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବା ରେସଲରଙ୍କୁ ଦିଲ୍ଲୀ ପୋଲିସ ମାରପିଟ୍ କରିଥିବା ଅଭିଯୋଗ ହୋଇଛି । ବୁଧବାର ରାତିରେ ଦିଲ୍ଲୀର କିଛି ପୋଲିସ କର୍ମଚାରୀ ମଦ ନିଶାରେ ରେସଲରଙ୍କୁ ଲାଠିରେ ପିଟିଥିଲେ। ପୋଲିସର ମାଡ଼ ଯୋଗୁଁ ଜଣେ ରେସଲରଙ୍କ ମୁଣ୍ଡ ଫାଟି ଯାଇଛି ବୋଲି କୁସ୍ତି ଖେଳାଳି ଅଭିଯୋଗ କରିଛନ୍ତି । ଆହତ ରେସଲରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଜନ୍ତର ମନ୍ତରରେ ପୋଲିସ ସୁରକ୍ଷା ବଢ଼ାଇ ଦିଆଯାଇଛି ।

ସୂଚନାନୁସାରେ, ପୋଲିସ ସହ ସଂଘର୍ଷରେ ଦୁଇରୁ ତିନି ରେସଲର ଆହତ ହୋଇଛନ୍ତି। ଏହି ଘଟଣାରେ ବିନେଶ ଫୋଗାଟଙ୍କ ଭାଇ ମଧ୍ୟ ଆହତ ହୋଇଛନ୍ତି। ତେବେ ପୋଲିସ ରେସଲରଙ୍କ ଅଭିଯୋଗକୁ ଖଣ୍ଡନ କରିଛି।

ଅନ୍ୟପକ୍ଷରେ ପୋଲିସ ଜନ୍ତର ମନ୍ତରକୁ ସମ୍ପୂର୍ଣ୍ଣ ସିଲ୍ କରିଦେଇଛି। କାହାକୁ ପିକେଟିଂ ସାଇଟରେ ପ୍ରବେଶ କରିବାକୁ ଓ କୁସ୍ତି ଖେଳାଳିମାନଙ୍କୁ ଭେଟିବାକୁ ଅନୁମତି ଦିଆଯାଉ ନାହିଁ।

ବିନେଶ ଫୋଗାଟ କାନ୍ଦି କାନ୍ଦି ଗଣମାଧ୍ୟମକୁ କହିଛନ୍ତି, ପୋଲିସ ଆମକୁ ଦୁର୍ବ୍ୟବହାର କରିଛି। ଜଣେ ପୋଲିସ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ଆମକୁ ମାଡ଼ ମାରିଥିଲେ। ରେସଲରମାନେ କ’ଣ ଏହି ଦିନ ଦେଖିବାକୁ ଦେଶ ପାଇଁ ପଦକ ଆଣିଥିଲେ?

ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ କହିଛି ଯେ ଆମ୍ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀ ରେସଲରଙ୍କ ପାଇଁ ଫୋଲ୍ଡିଂ ବେଡ୍ ଆଣିଥିଲେ। ଏହାକୁ ଅନୁମତି ନ ମିଳିବାରୁ ତାଙ୍କ ସମର୍ଥକମାନେ ଜବରଦସ୍ତି ଟ୍ରକରୁ ବେଡ୍ ବାହାର କରିବା ସହ ଆକ୍ରମଣାତ୍ମକ ବ୍ୟବହାର କରିଥିଲେ। ଏହି ସମୟରେ ଧସ୍ତାଧସ୍ତି ହୋଇଥିଲା । ସୋମନାଥ ଭାରତୀ ଏବଂ ଅନ୍ୟ ଦୁଇଜଣଙ୍କୁ ଅଟକ ରଖାଯାଇଥିଲା।

ତେବେ ସୋମନାଥ ଭାରତୀଙ୍କଠାରୁ ସେମାନେ ଫୋଲ୍ଡିଂ ବେଡ୍ ମଗାଇ ନଥିଲେ ବୋଲି ରେସଲରମାନେ କହିଛନ୍ତି। ବର୍ଷା ଯୋଗୁଁ ସେମାନଙ୍କ ଗଦି ଓ ବିଛଣା ଓଦା ହୋଇଯାଇଥିଲା । ତେଣୁ ଆମେ ଫୋଲ୍ଡିଂ ବେଡ୍ ଅର୍ଡର କରିଥିଲୁ | କିନ୍ତୁ ପୋଲିସ ଆମକୁ ଏଥିପାଇଁ ଅନୁମତି ଦେଇନଥିଲା । ବରଂ କିଛି ପୋଲିସ ମଦନିଶାରେ ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌
ଆମକୁ ମାଡ଼ ମାରିଥିଲେ।