ଯଶସ୍ବୀଙ୍କ ପୁଣି ଏକ ମାଇଲଖୁଣ୍ଟ, ଏକ ଟେଷ୍ଟ ସିରିଜରେ ୬୦୦ରୁ ଅଧିକ ରନ୍ କରିବାରେ ପଞ୍ଚମ ଭାରତୀୟ | News Room Odisha

ଯଶସ୍ବୀଙ୍କ ପୁଣି ଏକ ମାଇଲଖୁଣ୍ଟ, ଏକ ଟେଷ୍ଟ ସିରିଜରେ ୬୦୦ରୁ ଅଧିକ ରନ୍ କରିବାରେ ପଞ୍ଚମ ଭାରତୀୟ

ରାଞ୍ଚି: ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜରେ ଲଗାତାର ଦ୍ୱିଶତକ ହାସଲ କରିଥିବା ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୈସୱାଲ ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି । ଜୈସୱାଲ ପଞ୍ଚମ ଭାରତୀୟ ଭାବେ ଏକ ଟେଷ୍ଟ ସିରିଜରେ ୬୦୦ କିମ୍ବା ତଦୁର୍ଦ୍ଧ୍ବ ରନ୍ କରିଛନ୍ତି ।

ଗତ ବର୍ଷ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଡେବ୍ୟୁ କରିଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ରାଞ୍ଚି ଟେଷ୍ଟର ଶେଷ ସେସନରେ ଶୋଏବ ବଶୀରଙ୍କ ବଲରେ ଏକ ସିଙ୍ଗଲ୍ ନେଇ ୫୫ ରନରେ ପହଞ୍ଚିବା ପରେ ଚଳିତ ସିରିଜରେ ୬୦୦ ରନ୍ ପୂରଣ କରିଥିଲେ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜର ସପ୍ତମ ଇନିଂସରେ ଜୈସୱାଲ ଏହି ସଫଳତା ହାସଲ କରିଛନ୍ତି। ଯଶସ୍ବୀ ଜୈସୱାଲ ୭୩ ରନ୍ କରି ସୋଏବ୍ ବଶୀରଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ ।

ଚଳିତ ସିରିଜର ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟରେ ଜୟସ୍ୱାଲ ଦ୍ୱିଶତକ ହାସଲ କରିଥିଲେ। ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ ଏକ ସିରିଜରେ ୬୦୦ରୁ ଅଧିକ ରନ୍ କରିବାରେ ସୁନୀଲ ଗାଭାସ୍କର, ବିରାଟ କୋହଲି, ରାହୁଲ ଦ୍ରାବିଡ ଏବଂ ଦିଲୀପ ସରଦେଶାଇଙ୍କ ଭଳି ଭାରତୀୟ କିମ୍ବଦନ୍ତୀଙ୍କ କ୍ଲବରେ ସାମିଲ ହୋଇଛନ୍ତି ।

ପୂର୍ବତନ ଭାରତୀୟ ଅଧିନାୟକ ଗାଭାସ୍କର, କୋହଲି ଏବଂ ଦ୍ରାବିଡ ନିଜ କ୍ୟାରିୟରରେ ଦୁଇଥର ଟେଷ୍ଟ ସିରିଜରେ ୬୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ।

ଅନ୍ୟପକ୍ଷରେ ୧୯୭୦-୭୧ ମସିହାରେ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ସିରିଜରେ ସରଦେଶାଇ ଏହି ସଫଳତା ହାସଲ କରିଥିଲେ | ୧୯୭୦-୭୧ର ଏହି ସିରିଜରେ ହିଁ ଗାଭାସ୍କର ୪ଟି ଶତକ ଏବଂ ୩ ଅର୍ଦ୍ଧଶତକ ସହ ୭୭୪ ରନ୍ କରି କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ବାରା ଏକ ସିରିଜରେ ସର୍ବାଧିକ ରନ୍ କରିଥିଲେ ।

ଟେଷ୍ଟ ସିରିଜରେ ଦୁଇ ଥର ୭୦୦ରୁ ଅଧିକ ରନ୍ କରିବାରେ ଗାଭାସ୍କର ହେଉଛନ୍ତି ଏକମାତ୍ର ଭାରତୀୟ। ୧୯୭୮-୭୯ ମସିହାରେ ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ‘ଲିଟିଲ୍ ମାଷ୍ଟର’ ୪ଟି ଶତକ ଏବଂ ଏକ ଅର୍ଦ୍ଧଶତକ ସହିତ ୬ଟି ଟେଷ୍ଟରେ ୭୩୨ ରନ୍ କରିଥିଲେ ।

ଏକ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ ସ୍କୋର କରିବାରେ ବିଶ୍ୱ ରେକର୍ଡ ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡମ୍ୟାନଙ୍କ ନାମରେ ଅଛି । ବ୍ରାଡମ୍ୟାନ୍ ୧୯୩୦ ମସିହାରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚଟି ଟେଷ୍ଟରେ ଚାରି ଶତକ ସହ ୯୭୪ ରନ୍ କରିଥିଲେ।