'ବିତ୍ତୀୟ ନିଅଣ୍ଟ ବଢ଼ିବା ସତ୍ତ୍ୱେ କାହାରି ଚିନ୍ତା ନାହିଁ', ମୋଦି ସରକାରଙ୍କ ଆର୍ଥିକ ନୀତିକୁ ଯଶଓ୍ବନ୍ତ ସିହ୍ନାଙ୍କ ସମାଲୋଚନା | News Room Odisha

‘ବିତ୍ତୀୟ ନିଅଣ୍ଟ ବଢ଼ିବା ସତ୍ତ୍ୱେ କାହାରି ଚିନ୍ତା ନାହିଁ’, ମୋଦି ସରକାରଙ୍କ ଆର୍ଥିକ ନୀତିକୁ ଯଶଓ୍ବନ୍ତ ସିହ୍ନାଙ୍କ ସମାଲୋଚନା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାରଙ୍କ କଲ୍ୟାଣମୂଳକ ଯୋଜନାରେ ଅଧିକ ଖର୍ଚ୍ଚ ଯୋଗୁଁ ଆର୍ଥିକ ସ୍ଥିତି ଖରାପ ହେବା ସହ ଆର୍ଥିକ ନିଅଣ୍ଟ ଏକ ଅସାଧାରଣ ସ୍ତରରେ ପହଞ୍ଚିଛି ବୋଲି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶଓ୍ବନ୍ତ ସିହ୍ନା କହିଛନ୍ତି। ସିହ୍ନା କହିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ ଯେ ବିତ୍ତୀୟ ନିଅଣ୍ଟିଆ ସ୍ଥିତିକୁ ନେଇ କେହି ବି ଚିନ୍ତା କରୁନାହାଁନ୍ତି। ଏପରିକି ସରକାରଙ୍କୁ ମଧ୍ୟ ଏଥିପାଇଁ ତିଳେ ହେଲେ ଚିନ୍ତା ନାହିଁ ବୋଲି ସେ କହିଛନ୍ତି।

ତୃଣମୂଳ କଂଗ୍ରେସର ବରିଷ୍ଠ ଉପସଭାପତି ସିହ୍ନା କହିଛନ୍ତି, “ମୋଦି ସରକାର ମାଗଣା ଖାଦ୍ୟ ଶସ୍ୟ ସମେତ କଲ୍ୟାଣମୂଳକ ଯୋଜନାରେ ବିପୁଳ ପରିମାଣର ଖର୍ଚ୍ଚ କରୁଛନ୍ତି। ସରକାରଙ୍କ ବିତ୍ତୀୟ ସ୍ଥିତି ଚିନ୍ତାଜନକ
ରହିଛି। ଆର୍ଥିକ ନିଅଣ୍ଟ ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି । ଏହା ସରକାରୀ ଆକଳନରୁ ମଧ୍ୟ ଅଧିକ ।

ଦେଶର ଆର୍ଥିକ ନିଅଣ୍ଟ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୬.୯ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଏହା ପୂର୍ବରୁ ଏହା ୬.୮ ପ୍ରତିଶତ ବୋଲି ଆକଳନ କରାଯାଇଥିଲା। ସିହ୍ନା ଅଭିଯୋଗ କରିଛନ୍ତି ଯେ ଆଜି ସରକାର ନିର୍ବାଚନରେ ବିଜୟ ସୁନିଶ୍ଚିତ କରିବା ଭଳି ଆର୍ଥିକ ନୀତି ପ୍ରସ୍ତୁତ କରୁଛନ୍ତି।

ସେ କହିଛନ୍ତି ଯେ ଗୋଟିଏ ପଟେ ଗରିବ ଲୋକଙ୍କ ପାଇଁ ‘କଲ୍ୟାଣ’ ଚାଲିଛି, ଅନ୍ୟ ପଟେ କିଛି ନିର୍ଦ୍ଦିଷ୍ଟ କର୍ପୋରେଟରମାନେ ଅଧିକ ଲାଭବାନ ହେଉଛନ୍ତି। ଏନେଇ ଦେଶରେ କାହାକୁ ଚିନ୍ତା ନାହିଁ | ଏକ ମଜବୁତ ବିତ୍ତୀୟ ନୀତି ଓ ଦୃଢ ଆର୍ଥିକ ନୀତି ମଧ୍ୟରେ ସନ୍ତୁଳନର ଅଭାବ ଲକ୍ଷ୍ୟ କରାଯାଇଛି। ଏହା ହେଉଛି ଆଜିର ବାସ୍ତବତା |

ସୂଚନାଯୋଗ୍ୟ ଯେ ଖୁଚୁରା ମୁଦ୍ରାସ୍ଫୀତି ଫେବୃଆରୀରେ ଆଠ ମାସର ରେକର୍ଡ ସ୍ତର ୬.୦୭ ପ୍ରତିଶତରେ ପହଞ୍ଚିଥିଲା। ଏହା ରିଜର୍ଭ ବ୍ୟାଙ୍କର ସନ୍ତୋଷଜନକ ସ୍ତରଠାରୁ ଅଧିକ ଅଟେ। ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ୧୩.୧୧ ପ୍ରତିଶତରେ ପହଞ୍ଚିଛି। ସିହ୍ନା ଅଟଳ ବିହାରୀ ବାଜପେୟୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ଦଳର ଶୀର୍ଷ ନେତୃବର୍ଗ ସହ ମତଭେଦ ଯୋଗୁଁ ସେ ୨୦୧୮ରେ ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିଥିଲେ।