ଦେଶରେ ଗଣତନ୍ତ୍ର ଧ୍ୱଂସପ୍ରାପ୍ତ : ଯଶୱନ୍ତ ସିହ୍ନା | News Room Odisha

ଦେଶରେ ଗଣତନ୍ତ୍ର ଧ୍ୱଂସପ୍ରାପ୍ତ : ଯଶୱନ୍ତ ସିହ୍ନା

ରାଞ୍ଚି: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ଦେଶରେ ଆଉ ଗଣତନ୍ତ୍ର ନାହିଁ ବୋଲି କହିଛନ୍ତି । ଦେଶରେ ଗଣତନ୍ତ୍ର ଧ୍ୱଂସପ୍ରାପ୍ତ ହୋଇସାରିଛି ବୋଲି ସେ କହିଛନ୍ତି ।

ଯଶୱନ୍ତ ସିହ୍ନା କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ଆଦର୍ଶର ଲଢ଼େଇ ହେବା ଉଚିତ, ପରିଚୟର ପ୍ରଶ୍ନ ନୁହେଁ।

ବର୍ତ୍ତମାନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଛିଡା ହୋଇଥିବା ଯଶବନ୍ତ ସିହ୍ନା ଅଟଳ ବିହାରୀ ବାଜପେୟୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ସେ ହଜାରିବାଗରୁ ସାଂସଦ ଥିଲେ।

ଯଶୱନ୍ତ ସିହ୍ନା ଶନିବାର ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ସଭାପତି ହେମନ୍ତ ସୋରେନଙ୍କୁ ଭେଟି ସମର୍ଥନ ଲୋଡିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଯଶୱନ୍ତ ସିହ୍ନା କହିଛନ୍ତି, “ଯେତେବେଳେ ମୁଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ପ୍ରଚାର ଆରମ୍ଭ କଲି, ମୁଁ କହିଥିଲି ଗଣତନ୍ତ୍ର ବିପଦରେ ଅଛି। କିନ୍ତୁ ଆଜି ମୁଁ ମୋର ଅଭିଯାନ ଶେଷ କରୁଥିବାରୁ ମୁଁ କହିପାରେ ଯେ ଦେଶରେ ଗଣତନ୍ତ୍ର ଧ୍ବଂସ ହୋଇସାରିଲାଣି।”

ଝାଡଖଣ୍ଡରେ କଂଗ୍ରେସ ଏବଂ ଆରଜେଡି ସହ ମିଳିତ ଭାବେ ସରକାର ଚଳାଉଥିବା ଜେଏମଏମ ପ୍ରଥମେ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବା କଥା କହିଥିଲା । ​​କିନ୍ତୁ ପରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିଲା। ଦ୍ରୌପଦୀ ମୁର୍ମୁଙ୍କ ପରି ସୋରେନ୍ ମଧ୍ୟ ଜଣେ ସାନ୍ତାଳ ଆଦିବାସୀ । ଦ୍ରୌପଦୀ ମଧ୍ୟ ୬ ବର୍ଷ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ।