ଦେଶ ଛାଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସାନଭାଇ, ବିମାନ ବନ୍ଦରରେ ରୋକିଲେ ଲୋକେ | News Room Odisha

ଦେଶ ଛାଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସାନଭାଇ, ବିମାନ ବନ୍ଦରରେ ରୋକିଲେ ଲୋକେ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଅର୍ଥମନ୍ତ୍ରୀ ବେସିଲ ରାଜପକ୍ଷେ ମଙ୍ଗଳବାର ଦେଶ ଛାଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବିମାନବନ୍ଦରରେ କର୍ତ୍ତୃପକ୍ଷ ତାଙ୍କୁ ରୋକିଛନ୍ତି । ବେସିଲ ରାଜପକ୍ଷେ ହେଉଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସାନ ଭାଇ।

କଲମ୍ବୋ ବିମାନବନ୍ଦରରେ ଲୋକମାନେ ତାଙ୍କୁ ଶ୍ରୀଲଙ୍କା ଛାଡ଼ି ପଳାୟନ ଚେଷ୍ଟା କରୁଥିବା ଦେଖି ବିରୋଧ କରିଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଯାତ୍ରୀମାନେ ବେସିଲ ରାଜପକ୍ଷେଙ୍କ ଉପସ୍ଥିତିକୁ ବିରୋଧ କରୁଥିବା ଦେଖିବାକୁ ମିଳୁଛି । ଭିଡିଓରେ ଲୋକମାନେ ତାଙ୍କୁ ଦେଶ ଛାଡିବାକୁ ନ ଦିଆଯାଉ ବୋଲି ଦାବି କରୁଛନ୍ତି ।

ଶ୍ରୀଲଙ୍କାର ଇମିଗ୍ରେସନ ଅଧିକାରୀମାନେ କହିଛନ୍ତି ଯେ ସେମାନେ ରାଷ୍ଟ୍ରପତିଙ୍କ ଭାଇ ବେସିଲ ରାଜପକ୍ଷେଙ୍କୁ ଦେଶ ଛାଡିବାକୁ ରୋକିଛନ୍ତି। ସେ ଭିଆଇପି ଲାଉଞ୍ଜ ଦେଇ ଦୁବାଇ ପଳାଇବାକୁ ଚେଷ୍ଟା କରୁଥିଲେ ।

ଇନ୍ଧନ, ଖାଦ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ବିରୋଧରେ ଆନ୍ଦୋଳନ ପରେ ଏପ୍ରିଲ ଆରମ୍ଭରେ ବେସିଲ ରାଜପକ୍ଷେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଜୁନ୍ ମାସରେ ସେ ସଂସଦରେ ନିଜର ଆସନ ମଧ୍ୟ ଛାଡିଥିଲେ।

ବେସିଲ ରାଜପକ୍ଷେ ହେଉଛନ୍ତି ମହିନ୍ଦା ଏବଂ ଗୋଟାବାୟାଙ୍କର ସାନ ଭାଇ | ସେ ତାଙ୍କ ଭାଇ ତଥା ସେ ଯାଏଁ ପ୍ରଧାନମନ୍ତ୍ରୀ ରହିଥିବା ମହିନ୍ଦା ରାଜପକ୍ଷେଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ।

ସେ ମଧ୍ୟ ଦୁଇ ମାସ ପୂର୍ବେ ଶ୍ରୀଲଙ୍କା ପାଇଁ ଆର୍ଥିକ ସହାୟତା ମାଗିବାକୁ ଭାରତ ଆସିଥିଲେ।

୧୯୭୭ ସାଧାରଣ ନିର୍ବାଚନରୁ ବେସିଲ ନିର୍ବାଚନରେ ​​ଭାଗ ନେବା ଆରମ୍ଭ କରିଥିଲେ। କିନ୍ତୁ ପ୍ରାରମ୍ଭିକ ନିର୍ବାଚନରେ ​​ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

୨୦୦୫ରେ ମହିନ୍ଦା ରାଜପକ୍ଷେ ନିର୍ବାଚନରେ ​​ଜିତି ରାଷ୍ଟ୍ରପତି ହେବା ପରେ ତାଙ୍କୁ ଶ୍ରୀଲଙ୍କା ସଂସଦକୁ ମନୋନୀତ କରାଯାଇଥିଲା। ସେ ୨୦୧୦ ସାଧାରଣ ନିର୍ବାଚନରେ ​​ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।