ଜେଲେନସ୍କିଙ୍କ ନରମିଲା ସ୍ବର, ରୁଷ୍ ସହ ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଲେ | News Room Odisha

ଜେଲେନସ୍କିଙ୍କ ନରମିଲା ସ୍ବର, ରୁଷ୍ ସହ ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଲେ

କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନେସ୍କି ଯୁଦ୍ଧ ଶେଷ କରିବା ପାଇଁ ରୁଷର ସର୍ତ୍ତ ମାନିବାକୁ ସଙ୍କେତ ଦେଇଛନ୍ତି । ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ଆଉ ନାଟୋର ସଦସ୍ୟ ହେବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନର ଦୁଇଟି ବିଚ୍ଛିନ୍ନବାଦୀ ଅଞ୍ଚଳ ଡୋନେସ୍କ ଏବଂ ଲୁଗାଂସ୍କର ସ୍ଥିତି ଉପରେ ସେ ‘ଆପୋଷ ବୁଝାମଣା’ କରିବାକୁ ପ୍ରସ୍ତୁତ ଅଛନ୍ତି । ୟୁକ୍ରେନର ଡୋନେସ୍କ ଏବଂ ଲୁହାଂସ୍କକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆକ୍ରମଣ ପୂର୍ବରୁ ଫେବୃଆରୀ ୨୪ରେ ସ୍ବାଧୀନ ଅଞ୍ଚଳ ଭାବେ ମାନ୍ୟତା ଦେଇଥିଲେ। ଏହି ଦୁଇ ପ୍ରସଙ୍ଗ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ମୂଳ କାରଣ ବୋଲି ମନେ କରାଯାଉଛି | ରୁଷକୁ ଶାନ୍ତ କରିବା ଲକ୍ଷ୍ୟରେ ଜେଲେନେସ୍କି ଏପରି ନରମ ଆଭିମୁଖ୍ୟ ପୋଷଣ କରିଥିବା କୁହାଯାଉଛି।

ଜେଲେନସ୍କି ଏବିସି ନ୍ୟୁଜରେ ପ୍ରସାରିତ ଏକ ସାକ୍ଷାତକାରରେ କହିଛନ୍ତି ଯେ ନାଟୋ ୟୁକ୍ରେନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ବିବାଦୀୟ ପ୍ରସଙ୍ଗ ଏବଂ ରୁଷ ସହିତ ମୁହାଁମୁହିଁ ହେବା ପାଇଁ ନାଟୋ ଭୟ କରୁଛି।

ନାଟୋର ସଦସ୍ୟତା ବିଷୟରେ ଜେଲେନସ୍କି କହିଛନ୍ତି ଯେ ସେ ଏପରି ଦେଶର ରାଷ୍ଟ୍ରପତି ହେବାକୁ ଚାହାଁନ୍ତି ନାହିଁ ଯିଏ କୌଣସି କଥା ପାଇଁ କାହା ଆଗରେ ହାତ ପତାଇବ ।

ଉଲ୍ଲେଖଯୋଗ୍ୟ ଯେ ପଡୋଶୀ ୟୁକ୍ରେନ ନାଟୋରେ ସଦସ୍ୟ ହେଉ ବୋଲି ରୁଷ ଚାହୁଁନାହିଁ। ନାଟୋର ବିସ୍ତାରକୁ ରୁଷ୍ ନିଜ ପ୍ରତି ଏକ ବିପଦ ଭାବରେ ଦେଖୁଛି। ରୁଷ୍ ଚାହୁଁନାହିଁ ଯେ, ୟୁକ୍ରେନ ନାଟୋର ସଦସ୍ୟ ହୋଇଗଲେ ଏହି ପାଶ୍ଚାତ୍ୟ ଦେଶମାନଙ୍କ ଗୋଷ୍ଠୀ ସୈନ୍ୟ ଏହାର ଦ୍ବାର ମୁହଁରେ ମୁତୟନ ହେବେ ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣର ଆଦେଶ ଦେଇ ବିଶ୍ୱକୁ ଚକିତ କରିବା ପୂର୍ବରୁ ପୂର୍ବ ୟୁକ୍ରେନର ଡୋନେସ୍କ ଏବଂ ଲୁଗାଂସ୍କକୁ ସ୍ବାଧୀନ ମାନ୍ୟତା ଦେଇଥିଲେ। ବର୍ତ୍ତମାନ ପୁଟିନ ଚାହୁଁଛନ୍ତି ଯେ ୟୁକ୍ରେନ ଏହି ଦୁଇ ଅଞ୍ଚଳକୁ ସାର୍ବଭୌମ ତଥା ସ୍ବାଧୀନ ଦେଶ ଭାବରେ ସ୍ୱୀକୃତି ଦିଅନ୍ତୁ। ଏହି ପରିପ୍ରେକ୍ଷୀରେ ଜେଲେନସ୍କି କହିଛନ୍ତି ଯେ ସେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ମୁଁ ସୁରକ୍ଷା ଗ୍ୟାରେଣ୍ଟି କଥା କହୁଛି।