ସ୍ପଷ୍ଟ କଲା କେନ୍ଦ୍ର: କୃଷି ଆଇନ ପ୍ରତ୍ୟାହାର ହେବନି, ଚାଷୀଙ୍କୁ ଆଜି ଦିଆଯିବ ଲିଖିତ ପ୍ରସ୍ତାବ | News Room Odisha

ସ୍ପଷ୍ଟ କଲା କେନ୍ଦ୍ର: କୃଷି ଆଇନ ପ୍ରତ୍ୟାହାର ହେବନି, ଚାଷୀଙ୍କୁ ଆଜି ଦିଆଯିବ ଲିଖିତ ପ୍ରସ୍ତାବ

ନୂଆଦିଲ୍ଲୀ – କୃଷି ଆଇନକୁ ନେଇ ଅଚଳାବସ୍ଥା ଜାରି ରହିଛି । ଗତକାଲି ଗୃହମନ୍ତ୍ରୀ ଅମିତ ଶାହା ଓ କିଛି କୃଷକ ସଂଗଠନ ମଧ୍ୟରେ ଆଲୋଚନା ମଧ୍ୟ ନିଷ୍ଫଳ ହୋଇଛି । କୃଷି ଆଇନ୍ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଉକ୍ତ ବୈଠକରେ ଶାହା ସ୍ପଷ୍ଟ କରିଥିଲେ । ତେବେ ଆଇନରେ କିଛି ସଂଶୋଧନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏନେଇ ସରକାର ଆଜି ଚାଷୀମାନଙ୍କୁ ଲିଖିତ ପ୍ରସ୍ତାବ ଦେବେ । ସରକାରଙ୍କ ଲିଖିତ ପ୍ରସ୍ତାବ ଅନୁଧ୍ୟାନ କରିବା ପରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଅଖିଳ ଭାରତୀୟ କିଷାନ ସଭା ନେତା ହାନ୍ନାନ ମୋଲ୍ଳା କହିଛନ୍ତି । ତେଣୁ ଆଜି କୃଷକ ସଂଗଠନ ଓ କେନ୍ଦ୍ର ମଧ୍ୟରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବ ନାହିଁ । ସରକାରଙ୍କ ଲିଖିତ ପ୍ରସ୍ତାବ ପାଇବା ପରେ ସିଂଘୁ ସୀମାରେ ମଧ୍ୟାହ୍ନ ୧୨ଟାରେ କୃଷକ ସଂଗଠନମାନଙ୍କ ଏକ ବୈଠକ ବସିବ ।

ଏଥିରେ ସରକାରଙ୍କ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା ହେବ । କୃଷି ଆଇନକୁ ନେଇ ଅଚଳାବସ୍ଥା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । କୃଷି ଆଇନ ବିରୋଧରେ ମଙ୍ଗଳବାର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ବିଭିନ୍ନ ଶ୍ରମିକ ସଂଗଠନ ଓ ରାଜନୈତିକ ଦଳର ସମର୍ଥନ ମିଳିଥିଲା ।