କରୋନା ଟିକାକରଣ ପାଇଁ ସ୍ଥଗିତ ହେଲା ପୋଲିଓ ବିରୋଧୀ ଅଭିଯାନ | News Room Odisha

କରୋନା ଟିକାକରଣ ପାଇଁ ସ୍ଥଗିତ ହେଲା ପୋଲିଓ ବିରୋଧୀ ଅଭିଯାନ

ନୂଆଦିଲ୍ଲୀ – ଜାନୁଆରୀ ୧୬ ରୁ ଦେଶରେ କରୋନା ବିରୋଧରେ ଟୀକାକରଣ ଅଭିଯାନ ଆରମ୍ଭ ହେବ । ଏହାର ପ୍ରଭାବ ବର୍ତ୍ତମାନ ଦେଶରେ ଚାଲିଥିବା ଅନ୍ୟ ଟିକାକରଣ କାର୍ଯ୍ୟକ୍ରମ ଉପରେ ପଡ଼ିଛି । ୧୭ ଜାନୁଆରୀରେ ହେବାକୁ ଥିବା ପୋଲିଓ ଟୀକାକରଣ ଏବେ ସ୍ଥଗିତ ରଖାଯାଇଛି । ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଭାରତରେ ପୋଲିଓ ଡ୍ରପ୍ ସହିତ ଜଡିତ ଏକ ବଡ଼ ଧରଣର ଅଭିଯାନ ଜାରି ରହିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲାଙ୍କୁ ପୋଲିଓ ଟିକା ଦିଆଯାଏ। ପୋଲିଓ ବିରୋଧରେ ଭାରତ ବିଶ୍ୱର ସର୍ବବୃହତ ଅଭିଯାନ ଚଳାଇଥାଏ । କିନ୍ତୁ ସମ୍ପ୍ରତି କରୋନା ଟୀକାକରଣକୁ ଗୁରୁତ୍ୱ ଦିଆଯାଇଛି । ତେଣୁ ପୋଲିଓ ଟିକାକରଣକୁ ସ୍ଥଗିତ ରଖାଯାଇଛି । ଏହି ଟିକାକରଣ କାର୍ଯ୍ୟକ୍ରମ ପୁଣି କେବେ ହେବ, ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ ବେଳେ କରୋନା ଟୀକାକରଣ ସମ୍ପର୍କରେ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ କହିଥିଲେ ଯେ କରୋନା ଟୀକାକରଣ କାର୍ଯ୍ୟ ବିଶ୍ୱର ସବୁଠାରୁ ବଡ ଅଭିଯାନ ହେବ, କିନ୍ତୁ ଏହା ସହିତ ଅନ୍ୟ ଟୀକାକରଣ କାର୍ଯ୍ୟ ବି ଜାରି ରହିବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଅନ୍ୟ ଅଭିଯାନ ଜାରି ରହିବ ଏବଂ କରୋନା ଟୀକାକରଣ ମଧ୍ୟ ଚାଲିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।

COVID-19COVID-19 VaccinationCOVID-19 Vaccine