ବିହାର ନିର୍ବାଚନ ଫଳାଫଳ : ସତ ହେବ କି ଏକଜିଟ୍ ପୋଲ୍ ଆକଳନ? | News Room Odisha

ବିହାର ନିର୍ବାଚନ ଫଳାଫଳ : ସତ ହେବ କି ଏକଜିଟ୍ ପୋଲ୍ ଆକଳନ?

ନୂଆଦିଲ୍ଲୀ – ଆଉ ଦିନକ ପରେ ପ୍ରକାଶ ପାଇବ ବିହାର ବିଧାନସଭା ନିର୍ବାଚନ ଫଳାଫଳ । ମଙ୍ଗଳବାର ଭୋଟ ଗଣତି ହେବାକୁ ଥିବାବେଳେ ଫଳାଫଳ କାହା ସପକ୍ଷରେ ଯିବ ସେନେଇ ବିହାରର ଜନତା ତଥା ସବୁ ରାଜନୈତିକ ଦଳଙ୍କ ଉତ୍କଣ୍ଠା ବଢିଯାଇଛି । ଏନ୍ଡିଏ ସମର୍ଥିତ ନୀତିଶ କୁମାର ପଦ ବଜାୟ ରଖିବେ ନା ଲାଲୁ ଦାୟାଦ୍ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ସରକାର ଗଢିବ ? ଏନେଇ ଲାଗି ରହିଥିବା ସସ୍ପେନ୍ସ ଉପରୁ ମଙ୍ଗଳବାର ପରଦା ଉଠିବ ।

ତେବେ ତା’ପୂର୍ବରୁ ବିଭିନ୍ନ ସଂସ୍ଥା ତରଫରୁ କରାଯାଇଥିବା ଏକଜିଟ୍ ପୋଲ୍ ମହାମେଣ୍ଟ ସପକ୍ଷରେ ଯାଇଛି । ଯଦି ଏକଜିଟ୍ ପୋଲ୍ ଆକଳନକୁ ବିଶ୍ୱାସ କରାଯାଏ, ତେବେ ରାଜ୍ୟରେ ନୀତିଶ ସରକାରର ପତନ ଘଟିବ ଓ ତେଜସ୍ୱୀ ଯାଦବଙ୍କ ଯୁଗ ଆରମ୍ଭ ହେବ । ଏକଜିଟ୍ ପୋଲ୍ ମଧ୍ୟ ଅନେକଥର ଭୁଲ୍ ପ୍ରମାଣିତ ହେବା ନଜିର ରହିଛି । ବୋଧହୁଏ ଏହି କାରଣରୁ ନୀତିଶ ଓ ତେଜସ୍ୱୀ ଶିବିର ଫଳାଫଳ ଘୋଷଣା ନ ହେବା ଯାଏ ନିଜ ବିଜୟ ନେଇ ଗଣମାଧ୍ୟମ ଆଗରେ କୌଣସି ଦାମ୍ଭିକତାପୂର୍ଣ୍ଣ ମନ୍ତବ୍ୟ ରଖିବାରୁ ବିରତ ରହିଛନ୍ତି ।

୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ଲାଗି ମତଦାନ ତିନୋଟି ପର୍ଯ୍ୟାୟରେ ଅକ୍ଟୋବର ୨୮ରୁ ଆରମ୍ଭ ହୋଇ ନଭେମ୍ବର ୭ରେ ଶେଷ ହୋଇଥିଲା ।

ଅଧିକାଂଶ ଏକଜିଟ୍ ପୋଲ୍ ଅନୁସାରେ କାହାରିକୁ ପୂର୍ଣ୍ଣ ବହୁମତ ମିଳିବନି । କିନ୍ତୁ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମହାମେଣ୍ଟ ଅଧିକାଂଶ ଆସନ ହାସଲ କରିବ । ମୋଟ ୨୪୩ ଆସନରୁ ସରକାର ଗଠନ ପାଇଁ ୧୨୨ ଆସନ ଦରକାର । ଇଣ୍ଡିଆ ଟୁଡେ-ଆକ୍ସିସ୍ର ଏକଜିଟ୍ ପୋଲ୍ ଅନୁଯାୟୀ ମହାମେଣ୍ଟକୁ ୧୩୯ରୁ ୧୬୧ ଆସନ ମିଳିବ ।
ଏବିିପି-ସି ଭୋଟର ସର୍ଭେ ମୁତାବକ ଏନ୍ଡିଏ ୧୦୪-୧୨୮ ଆସନ ପାଇବାକୁ ଥିବାବେଳେ ମହାମେଣ୍ଟ ୧୦୮ ରୁ ୧୩୧ ମିଳିବ । ଏହି ସର୍ଭେ ଅନୁୁସାରେ ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ୧ରୁ ୩ ସିଟ୍ରେ ସୀମିତ ରହିପାରେ । ଟାଇମ୍ସ ନାଓ-ସି ଭୋଟର ତରଫରୁ କରାଯାଇଥିବା ଏକଜିଟ୍ ପୋଲ୍ରେ ଏନ୍ଡିଏକୁ ୧୧୬ ଆସନ ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ମହାମେଣ୍ଟ ୧୨୦ ଆସନ ଏବଂ ଏଲ୍ଜେପି ଗୋଟିଏ ଆସନ ପାଇବ । ରିପବ୍ଲିକ-ଜନ୍ କି ବାତ୍ ଏକଜିଟ୍ ପୋଲ୍ ଅନୁଯାୟୀ ଏନ୍ଡିଏକୁ ୯୧ ରୁ ୧୧୭ ଆସନ ମିଳିବାକୁ ଥିବାବେଳେ ମହାମେଣ୍ଟ ପାଇବ ୧୧୮ ରୁ ୧୩୮ ଆସନ । ଏହି ସର୍ଭେ ମୁତାବକ ଏଲ୍ଜେପି ୫-୮ ଆସନ ପାଇବ । ଟିଭି-୯ ଭାରତବର୍ଷ ଅନୁଯାୟୀ ଏନ୍ଡିଏକୁ ୧୧୦-୧୨୦, ମହାମେଣ୍ଟକୁ ୧୧୫-୧୨୫ ଏବଂ ଏଲ୍ଜେପିକୁ ୩-୫ ଆସନ ମିିଳିବ ।

ତେବେ ଆଜତକ-ଆକ୍ସିସ୍ ମାଇଁ ଇଣ୍ଡିଆ ଏବଂ ଟୁଜେଡ୍ ଚାଣକ୍ୟ ତରଫରୁ କରାଯାଇଥିବା ଏକଜିଟ୍ ପୋଲ ମୁତାବକ ବିହାରରେ ମହାମେଣ୍ଟ ସହଜରେ ସଂଖ୍ୟା ଗରିଷ୍ଠତା ହାସଲ କରିି ସରକାର ଗଢିବ । ଆଜତକ୍-ଆକ୍ସିସ୍ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ ଅନୁସାରେ ମହାମେଣ୍ଟକୁ ୧୩୯ରୁ୧୬୧ ଆସନ ମିଳିବ ଏବଂ ଏନ୍ଡିଏ ୬୯-୯୧ ସିଟ୍ରେ ସୀମିତ ରହିବ । ଟୁଡେଜ୍ ଚାଣକ୍ୟର ଆକଳନ ଅନୁସାରେ ମହାମେଣ୍ଟ ପୂର୍ଣ୍ଣ ବହୁମତ ସହ ୧୮୦ ଆସନ ପାଇବ ଏବଂ ଏନ୍ଡିଏ କେବଳ ୫୫ ଆସନରେ ସୀମିତ ରହିବ । ଯଦି କାହାରିକୁ ପୂର୍ଣ୍ଣ ବହୁମତ ନ ମିଳୁଛି, ତେବେ ଚିରାଗ ପାସୱାନଙ୍କ ଏଲ୍ଜେପି କିଙ୍ଗ୍ ମେକର ସାଜିପାରେ ।

Bihar Assembly Elections 2020Bihar Exit Poll 2020