ଅଫେରା ରାଇଜରେ ଦେବିଦତ୍ତ | News Room Odisha

ଅଫେରା ରାଇଜରେ ଦେବିଦତ୍ତ

ବ୍ରହ୍ମପୁର: ସାମ୍ବାଦିକତାରୁ ସମାଜସେବା….. ସତେ ଯେପରି ପାଲଟିଯାଇଥିଲା ତାଙ୍କ ଜୀବନର ଏକ ଲକ୍ଷ୍ୟ । ପାଠପଢା ପରେ ଛାତ୍ର ରାଜନୀତି ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କୁ ସଂଗଠିତ କରିବାରେ ସେ ରହିଥିଲେ ଖୁବ୍‌ ମାହିର। ଖୁବ୍‌ କମ ସମୟ ମଧ୍ୟରେ ଯେ କେହି ବି ତାଙ୍କ ନିକଟକୁ ଆସିଲେ ସେ କରି ନେଇଥାନ୍ତି ଅତି ନିଜର । ସମସ୍ତଙ୍କୁ ନିଜର କରିଥିବା ଏହି ବ୍ୟକ୍ତିଟି ହଠାତ୍ ସମସ୍ତଙ୍କୁ ପରକରି ଚାଲିଗଲା । ବୋଧେ ଏହା ହିଁ ବିଧିର ବିଧାନର ବିଚିତ୍ରତା। ନିଷ୍ଠୁର ମହାମାରୀ ସହ ଦୀର୍ଘ ୧୫ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଏଭଳି ଏକ ଯୁବ ବ୍ୟକ୍ତିତ୍ୱ ଦେବିଦତ୍ତ, ସମସ୍ତଙ୍କ ପ୍ରିୟ କାହ୍ନା । ଶାନ୍ତ ସରଳ ଏବଂ ସ୍ମୀତ ହାସ୍ୟ ଚେହେରା ସବୁଦିନ ପାଇଁ ଛାଡି ଚାଲିଯାଇଛି ଅଫେରା ରାଇଜକୁ । ଆଉ ସେ କେବେ ଫେରିବ ନାହିଁ ତାହା ମଧ୍ୟ କାହାରିକୁ ଅଛପା ନାହିଁ ।

କୋଭିଡ ଯୁଦ୍ଧରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ଆଉ ଏକ ସମ୍ମୁଖ ଯୋଦ୍ଧା ଭାବେ ଦେବୀଦତ୍ତ ରଥଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରୁ ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗରେ ଡିଗ୍ରୀ ହାସଲ କରିବା ପରେ ଦେବୀଦତ୍ତ ସାମ୍ବାଦିକତାକୁ ଆପଣାଇବା ସହ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ଭାବେ ଗଞ୍ଜାମରେ କାର୍ଯ୍ୟ କରି ଆସୁଥିଲେ । ହେଲେ ମନରେ ତାଙ୍କରି ରହିଥିବା ସମାଜସେବା ପ୍ରତି ଆଗ୍ରହକୁ ନେଇ ସେ ଆଗକୁ ବଢିଥିଲେ । ଯାହାକି ସାମ୍ବାଦିକତା ସହ ସମାଜସେବା ସତେ ଯେପରି ପାଲଟି ଯାଇଥିଲା ତାଙ୍କ ଜୀବନର ବ୍ରତ ।

ନେହୁରୁ ଯୁବ କେନ୍ଦ୍ର ଠାରୁ ଆରମ୍ଭ କରି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ପର୍ଯ୍ୟନ୍ତ ପ୍ରମୁଖ ଅନୁଷ୍ଠାନରେ ଜଣେ ଆଦର୍ଶ ଓ କର୍ତ୍ତବ୍ୟନିଷ୍ଠ କର୍ମକର୍ତ୍ତା ଭାବରେ ସେ ଦେଖାଇଛନ୍ତି ନିଜର ସମାଜସେବାରେ ପାରଦର୍ଶିତା । ଜିଲ୍ଲାର ଅନାଥ ଶିଶୁଙ୍କୁ ସାମଜର ମୁଖ୍ୟ ଧାରାରେ ସାମିଲ କରିବା ଠାରୁ ଆରମ୍ଭ କରି ଶ୍ରଦ୍ଧା ସଞ୍ଜିବନୀରେ ଶିଶୁମାନଙ୍କ ରହିଥିଲେ ଅତି ଆପଣାର କାହ୍ନା ଭାଇ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଖବରକୁ (ବିଶେଷକରି ଅନାଥ ଶିଶୁଙ୍କ) ସେ ଗଣମାଧ୍ୟମରେ ପ୍ରକାଶ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ।

ଜିଲ୍ଲାର ଖଲ୍ଲିକୋଟ ବ୍ଲକ ପଣ୍ଡିତ ଗାଁ ରବିନ୍ଦ୍ର ମୋହନ ରଥଙ୍କ ଜ୍ୟେଷ୍ଠ ପୁତ୍ର ଦେବୀଦତ୍ତ ବହୁ କମ ଦିନରେ ସମସ୍ତଙ୍କର ଆପଣାର ହୋଇଯାଇଥିଲେ । ସତେଯେମିତି ସେ କଳା ନେଇ ସେ ଆସିଥିଲେ । ହେଲେ ସେ କାହ୍ନା ଭାଇ ଆଜି ସମସ୍ତକୁ ଛାଡି ଚାଲିଯାଇଥିବା କଥା ଯିଏବି ଶୁଣୁଛି ପ୍ରଥମେ ବିଶ୍ୱାସ କରିପାରୁନାହାନ୍ତି ।ସମସ୍ତଙ୍କ ଆଖି ଭରି ଆସୁଛି ଲୁହରେ । ସେପଟେ ସ୍ୱାମୀଙ୍କୁ ହରାଇ ଧର୍ମପତ୍ନି ଦୁଃଖରେ ଭାଙ୍ଗୀ ପଡିଥିବା ବେଳେ ବାପା ଛେଉଣ୍ଡ ହୋଇଯାଇଛନ୍ତି ଦୁଇ ଶିଶୁ କନ୍ୟା । କହ୍ନାର ଅବର୍ତ୍ତମାନରେ ଅନ୍ତତଃ ତାର ଦୁଇ ଝିଅ, ସ୍ତ୍ରୀ ସୁପ୍ରିୟା ଓ ତାର ବାପା ,ମା ଭାଇଙ୍କୁ ପ୍ରଭୁ ସାହାସ ଦିଅନ୍ତୁ, ଧର୍ଯ୍ୟ ଦିଅନ୍ତୁ ଏବଂ ସର୍ବୋପରି ଏହି ଦୁଃଖଦ ପରିସ୍ଥିତିକୁ ସହିବାକୁ ଅସୀମ ଶକ୍ତି ଦିଅନ୍ତୁ । ହେ ମହାପ୍ରଭୁ ଏତିକି କୃପା କର

Debidata Rath